କନକ ବ୍ୟୁରୋ : ଋଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଋଷର ଉପକୂଳରେ ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଶିବେଲୁଚ ଆଗ୍ନେୟଗିରି ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚାତାସ୍କି ଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ଏହି ସହରର ଜନସଂଖ୍ୟା ପାଖାପାଖି ଦୁଇ ଲକ୍ଷ । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଏହାର ରିପୋର୍ଟରେ କହିଛି ଯେ ଭୂକମ୍ପର କେନ୍ଦ୍ର ପେଟ୍ରୋପାଭ୍ଲୋଭସ୍କ- କାମଚାତାସ୍କି ଠାରୁ ୫୫ ମାଇଲ ଦୂରରେ ଥିଲା । ଯାହା ପୃଥିବୀର ୪୮ କିଲୋମିଟର ଭିତରେ ଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି ।

ତେବେ ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ସୁନାମି ସତର୍କ ସୂଚନା ଜାରି କରିନାହିଁ । କିନ୍ତୁ ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ଭୂମିକମ୍ପ ଅଞ୍ଚଳର ୩୦୦ କିଲୋମିଟର ପରିଧି ମଧ୍ୟରେ ସୁନାମି ସତର୍କ ସୂଚନା ଜାରି କରିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ଋଷର ନ୍ୟୁଜ୍ ଏଜେନ୍ସି ଟାସ୍ କହିଛି ଯେ ଘରଗୁଡ଼ିକରେ ଥିବା ଆସବାବପତ୍ର ଖସି ପଡିଛି ।