ଅଗଷ୍ଟରୁ ଆସିଲାଣି ରାଇସ୍ ମିଲ ବନ୍ଦ ପାଇଁ ନିର୍ଦ୍ଦେଶ, ହେଲେ ଏବେ ବି ଖୋଲି ଅଛି ମିଲ୍ । ସବୁ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ।

251

କନକ ବ୍ୟୁରୋ : କଣ୍ଟାବାଞ୍ଜୀ ଶ୍ରୀ ଶ୍ୟାମଜୀ ରାଇସ ମିଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଖୋଲାଖୋଲି ଉଲଙ୍ଘନ କରୁଛି । ମିଲ ବନ୍ଦ ନିର୍ଦ୍ଦେଶ ପରେ ବି ମିଲ୍ ପାଇଁ ଓକିଲ ସାଜିଛନ୍ତି ପ୍ରଶାସନିକ ଅଧିକାରୀ । ଏବେ ବି ଲୋକଙ୍କୁ କଲବଲ କରୁଛି ମିଲର ଧୂଆଁ ।

ବନ୍ଦ ନିର୍ଦ୍ଦେଶ ପରେ ବି ଖୋଲା ଅଛି ବଲାଙ୍ଗୀର କଣ୍ଟାବାଞ୍ଜୀରେ ଥିବା ଶ୍ରୀ ଶ୍ୟାମଜୀ ରାଇସ ମିଲ୍ । ରାଇସ୍ ମିଲରେ ତାଲା ପକାଇବା ପାଇଁ ଅଗଷ୍ଟ ୧୮ରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତଥାପି ଖୋଲାଖୋଲି ଭାବେ ଉଲଙ୍ଘନ ହେଉଛି ପ୍ରଦୂଷଣର ସବୁ ନିୟମ । ଏବେ ବି ମିଲ୍ ଧୂଆଁରେ ଅସ୍ତବ୍ୟସ୍ତ ଜୀବନ । ବାରମ୍ବାର ଅଭିଯୋଗ କଲେ ବି କିଛି ଫରକ ପଡୁନି । ବରଂ ପରିବେଶ ପ୍ରଦୁଷିତ କରୁଥିବା ମିଲ ମାଲିକଙ୍କୁ ପ୍ରଶାସନିକ ଅଧିକାରୀ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି ।

କାହିଁକି ଏଯାଏଁ ହୋଇନି ବିଦ୍ୟୁତ୍ ବିଚ୍ଛିନ୍ନ ? କାହା ସ୍ୱାର୍ଥରେ ମିଲ୍ ବନ୍ଦ କରିନି ପ୍ରଶାସନ ? ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପ୍ରଥମେ, କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ମିଲ୍ ମାଲିକ ନୋଟିସକୁ ଖାତିର ନକରିବାରୁ ମିଲ୍ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ମିଲରୁ ତୁରନ୍ତ ବିଦ୍ୟୁତ ବିଚ୍ଛିନ୍ନ କରିବାକୁ କୁହାଯାଇଛି । ଅଗଷ୍ଟ ୧୮ରୁ ନିର୍ଦ୍ଦେଶ ଆସିଥିବା ବେଳେ ଏଯାଏଁ କାର୍ଯ୍ୟକାରୀ ହୋଇନି ।

ପରିବେଶ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଇନ ଥିବା ବେଳେ କିଛି ପ୍ରଶାସନିକ ଅଧିକାରୀଙ୍କୁ ଅସ୍ତ୍ର କରି ଆଇନ୍ କାନୁନ୍ ମାନୁନାହାନ୍ତି ଅନେକ କଳକାରଖାନା ଓ ମିଲ୍ ମାଲିକ ।