ଓଡିଆ ସାମ୍ବାଦିକାଙ୍କ ସହ ୨ ଜଣଙ୍କୁ ମୁକ୍ତ କରିବାକୁ ଉଠୁଛି ସ୍ୱର: ତ୍ରିପୁରାରେ ସାମ୍ପ୍ରଦାୟିକ ଉତେଜନା ବେଳେ ରିପୋଟିଂ କାରଣରୁ ଗିରଫ କରିଛି ପୋଲିସ

168

କନକ ବ୍ୟୁରୋ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଛାଡିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିବାରେ ଲାଗିଛି । ସାଂପ୍ରଦାୟିକ ଉତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପୋଲିସ ଦୁଇ ସାମ୍ବାଦିକଙ୍କୁ ଗିରଫ କରିଛି । ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନି ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ୱର୍ଣ୍ଣ ଝା ।

ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସଂପତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି । କୁହାଯାଉଛି ଏକ ସ୍ଥାନୀୟ ହିନ୍ଦୁ ସଂଗଠନର ଅଭିଯୋଗ ଆଧାରରେ ଦୁଇ ସାମ୍ବାଦିକାଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ । ଶନିବାର ଏମାନେ ରହୁଥିବା ହୋଟେଲରେ ପ୍ରଥମେ ଅଟକ ରଖିଥିଲା ପୋଲିସ ।

ପରେ ରବିବାର ଛାଡି ଦେଇଥିଲେ ମଧ୍ୟ ପୁଣି ଆସାମରେ ଉଭୟଙ୍କୁ ଅଟକ ରଖି ତ୍ରିପୁରା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ହେଲେ ତ୍ରିପୁରା ପୋଲିସର ପଦକ୍ଷେପକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା ଏଚଡବ୍ଲୁ ନ୍ୟୁଜ ନେଟୱର୍କ । ଦୁଇ ସାମ୍ବାଦିକା କେବଳ ଘଟଣା ସଂପର୍କରେ ରିପୋର୍ଟିଂ କରୁଥିଲେ ବୋଲି ସଂସ୍ଥା କହିଛି । ଏହାପରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏମାନଙ୍କ ଗିରଫଦାରିକୁ ନିନ୍ଦା କରାଯାଇଛି ।