କନକ ବ୍ୟୁରୋ : ଟେଲିକମ ସେକ୍ଟରରେ ସରିଲା ଶସ୍ତା ଯୁଗ,ଆରମ୍ଭ ହେଲା ମହଙ୍ଗା ମାଡ । ଦୀର୍ଘ ୪ ବର୍ଷ ପରେ ପୁଣିଥରେ ଦେଶରେ ମହଙ୍ଗା ହେଲା ମୋବାଇଲ ସେବା । ଜିଓ ପରେ ଭୋଡାଫୋନ ଆଇଡିଆ ଓ ଏୟାରଟେଲ କମ୍ପାନି ପକ୍ଷରୁ କଲ ଓ ଡାଟା ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି । ମଙ୍ଗଳବାର ଠାରୁ ନୂଆ ଦର ଲାଗୁ କରିବାକୁ କମ୍ପାନି ପକ୍ଷରୁ ନିଷ୍ପତି ନିଆଯାଇଛି । ସେହିଭଳି ଆସନ୍ତା ୬ ତାରିଖରୁ ଜିଓ ମଧ୍ୟ ତାର ବଢାଇବାକୁ ନିଷ୍ପତି ନେଇଛି ।
ପୂର୍ବ ପ୍ଲାନ ତୁଳନାରେ ୪୨ ପ୍ରତିଶତ ଦର ବୃଦ୍ଧି କରିଛନ୍ତି ଉଭୟ ଭୋଡାଫୋନ-ଆଇଡିଆ ଓ ଏୟାରଟେଲ କମ୍ପାନି । ଯାହାଦ୍ୱାରା ମଙ୍ଗଳବାର ଠାରୁ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ପଡିବ । ଭୋଡାଫୋନ୍ ଆଇଡିଆ କେବଳ ଅସୀମିତ ଡାଟା ଏବଂ କଲିଂ ସୁବିଧା ଥିବା ପ୍ରିପେଡ ପ୍ଲାନ୍ ଦର ବୃଦ୍ଧି କରିଛି। ଏୟାରଟେଲ ସୀମିତି ଡାଟା ଏବଂ କଲିଂ ଥିବା ପ୍ଲାନ ଶୁଳ୍କରେ ବି ସଂଶୋଧନ ଆଣିଛି। ଭୋଡାଫୋନ୍ ଆଇଡିଆର ବିଜ୍ଞପ୍ତି ଅନୁସାରେ, ସର୍ବାଧିକ ୪୧.୨ ପ୍ରତିଶତ ବୃଦ୍ଧି ବାର୍ଷିକ ପ୍ଲାନ୍ରେ କରାଯାଇଛି। ଏହି ପ୍ଲାନ୍ ଦର ୧,୬୯୯ରୁ ବୃଦ୍ଧି ପାଇ ୨,୩୯୯ ଟଙ୍କା ହୋଇଛି। ସେହିପରି ପ୍ରତିଦିନ ଦେଢ଼ ଜିବି ଡାଟା ଦେଉଥିବା ୮୪ଦିନ ବୈଧତା ଥିବା ପ୍ଲାନର ଦର ୪୫୮ଟଙ୍କାରୁ ୩୧ ପ୍ରତିଶତ ବୃଦ୍ଧି ପାଇ ୫୯୯ଟଙ୍କା ହୋଇଯାଇଛି।
ଏୟାରଟେଲ ବାର୍ଷିକ ପ୍ଲାନ୍ରେ ୪୧.୧୪ ପ୍ରତିଶତ ବୃଦ୍ଧି ପାଇଛି। ଯାହାକି ୧,୬୯୯ଟଙ୍କା ବଦଳରେ ୨,୩୯୮ଟଙ୍କା ହୋଇଯାଇଛି। କମ୍ପାନିର ସୀମିତ ଡାଟା ଥିବା ବାର୍ଷିକ ୯୯୮ ଟଙ୍କାର ପ୍ଲାନ୍ ଏବେ ତିନି ଡିସେମ୍ବରରୁ ୧,୪୯୮ଟଙ୍କା ହୋଇଯିବ। ସେହିପରି ଏୟାରଟେଲର ୮୪ଦିନ ବୈଧତା ଥିବା ଅସୀମିତ ଡାଟା ପ୍ଲାନ୍ ୩୯. ୮୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୪୯୯ଟଙ୍କା ପ୍ଲାନ ୫୯୮ଟଙ୍କା ହୋଇ ସୀମିତ ଡାଟା ହୋଇଛି।
ଏହି ବର୍ଦ୍ଧିତ ଇଣ୍ଟରନେଟ ପ୍ୟାକେଜ ସହ ଗ୍ରାହକମାନେ ଏୟାରଟେଲ ଏକ୍ସଷ୍ଟ୍ରିମ୍ ପ୍ରିମଅମ ପ୍ୟାକେଜକୁ ମାଗଣାରେ ଦେଖିପାରିବେ ବୋଲି ଜଣାପଡ଼ିଛି। ଯେଉଁଥିରେ ୧୦ ହଜାର ଫିଲ୍ମ, ବିଭିନ୍ନ ସୋ’, ୪୦୦ ଟିଭି ଚ୍ୟାନେଲ, ଉଇଙ୍କ ମ୍ୟୁଜିକ, ମୋବାଇଲ ପ୍ରୋଟେକସନ, ଆଣ୍ଟି ଭାଇରସ ଭଳି ସେବା ପାଇବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ସେହିଭଳି ରିଲାଏନ୍ସ ଜିଓ ଏହାର ଅଲ୍ ଇନ୍ ୱାନ୍ ପ୍ଲାନର ଦାମ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇବ ବୋଲି ଘୋଷଣା କରିଛି । ଏହାପୂର୍ବରୁ ଜିଓ ନିଜ ନେଟୱର୍କରୁ ଅନ୍ୟ ନେଟୱର୍କକୁ କଲ ପାଇଁ ମିନିଟ୍ ପିଛା ୬ ପଇସା ଆଦାୟ କରୁଛି । ତେବେ କମ୍ପାନି ପ୍ରତିଶୃତି ଦେଇଛି ଯେ, ଟ୍ୟାରିଫ୍ ପ୍ଲାନର ଦର ବଢାଯିବା ଦ୍ୱାରା ଗ୍ରାହକ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ପାଇପାରିବେ । ଏସବୁ ଭିତରେ ଟେଲିକମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଗାମୀ ୬ରୁ ୯ ମାସ ମଧ୍ୟରେ ସବୁ କମ୍ପାନି ଫ୍ରି କଲିଙ୍ଗର ସୁବିଧା ବନ୍ଦ କରିପାରନ୍ତି । ଏପରିକି ନିଜସ୍ୱ ନେଟୱର୍କକୁ କଲ କଲେ ମଧ୍ୟ ଟଙ୍କା ଗଣିବାକୁ ପଡିପାରେ । ଟ୍ୟାରିଫ୍ ପ୍ଲାନର ଦର ବୃଦ୍ଧି ଫଳରେ ୧୦୦ କୋଟି ମୋବାଇଲ ଗ୍ରାହକ ପ୍ରଭାବିତ ହୋଇପାରନ୍ତି ।