କନକ ବ୍ୟୁରୋ: ଇଭିଏମ’ର ପେଡ଼ି ଖୋଲିବା ପୂର୍ବରୁ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ । ଯାହା ଏକ ରୋଚକ ରାଜନୀତି ସୃଷ୍ଟି କରିଛି । ପରୀକ୍ଷା ସରିଯିବା ପରେ ପରୀକ୍ଷାର୍ଥୀ ଯେମିତି କେତେ ନମ୍ବର ଆସିବ ଆକଳନ କରନ୍ତି, ଉପନିର୍ବାଚନ ସରିବା ପରେ ହାରଜିତ ନେଇ ନିଜର ନିଜର ହିସାବ-ନିକାଶ କରୁଛନ୍ତି ରାଜନୈତିକ ଦଳ । ଠିକ୍ ସେତିକି ବେଳେ ଖାରବେଳ ସ୍ୱାଇଁଙ୍କ ବୟାନ୍, ବିଜେପି ଦଳକୁ ଯେତିକି ନିରାଶ କରୁଛି, ତାଠୁ ଅଧିକ ବିଜେଡ଼ିକୁ ଉତ୍ସାହିତ କରୁଛି । ଖାରବେଳ କହିଛନ୍ତି, ଉପନିର୍ବାଚନ ଜିତେ ଶାସନରେ ଥିବା ଦଳ। ୩ରୁ ୫ ହଜାର ଭୋଟରେ ଜିତିବ ବିଜେଡି ।
ପଦ୍ମପୁରର ଜନମତ ଏବଂ ଭୋଟ ପ୍ରତିଶତ, କିନ୍ତୁ ଭିନ୍ନ ଏକ ଦିଗକୁ ଇସାରା କରୁଛି । କାରଣ, ଉପ-ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୦୮% ପ୍ରତିଶତ ମତାଦାନ ହୋଇଥିବା ବେଳେ ଏଥର ଉପ-ନିର୍ବାଚନରେ ମତଦାନ ହୋଇଛି ୮୧.୨୯% । ନିର୍ବାଚନୀ ଗଣିତର ହିସାବ କହୁଛି ଭୋଟ ପ୍ରତିଶତ ବଢ଼ିଲେ, ସାଧାଣତଃ ଶାସକ ଦଳର ବିପକ୍ଷରେ ଯାଏ । ଜୟନାରୟଣ ଠିକ୍ ସେଇଆ କହୁଥିବା ବେଳେ ବିଜେଡି କହୁଛି ଠିକ୍ ଓଲଟା କଥା ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଏବଂ ତାଙ୍କ ଭାବମୂର୍ତୀ ବିଜେଡିକୁ ବିଜୟ ଆଣିବ ବୋଲି ବିଜେଡି କହିଥିବା ବେଳେ ବିଜେପି ସାଂସଦ ଅପରାଜିତା କହିଛନ୍ତି, କାମ ଦେବନି କୌଣସି ଫ୍ୟାକ୍ଟର । ଏସବୁ ଭିତରେ କିନ୍ତୁ ଫଳାଫଳ ଆସିବା ପୂର୍ବରୁ ନିଜକୁ ତୃତୀୟ ସ୍ଥାନରେ ରଖିଛି କଂଗ୍ରେସ ।
ଏହାରି ଭିତରେ ଯେତେବେଳେ ଇଭିଏମ୍ ଖୋଲିବ, କାହାର ବୟାନରେ କେତେ ଦମ୍ ଅଛି, ତାହା ସ୍ପଷ୍ଟ ହୋଇଯିବ । ପଦ୍ମପୁରରେ ଆସିବ କି ଧାମନଗର ପରିଣାମ? ନା’ ବିଜେଡି ନିଜ ଆସନକୁ ବଳବତ୍ତର ରଖିବ ? କାହା ଖାତାକୁ ଯିବ କଂଗ୍ରେସ ଭୋଟ? ଆସନ୍ତା ୮ ତାରିଖରେ ସ୍ପଷ୍ଟ ହୋଇଯିବ ୨୦୨୪ ଫାଇନାଲ ପୂର୍ବରୁ ସେମିଫାଇନାଲର ବିଜେତା କିଏ?
Follow Us