୫ ଦିନିଆ ଗସ୍ତରେ ଋଷର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା । ଋଷ ଓ ଓଡ଼ିଶା ମଧ୍ୟରେ ସିଧାସିଧା ବାଣିଜ୍ୟିକ ସମ୍ପର୍କ ପାଇଁ ହେଲା ପଥ ପରିଷ୍କାର । ଧର୍ମେନ୍ଦ୍ର କହିଲେ, ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ

276

କନକ ବ୍ୟୁରୋ :  ଓଡ଼ିଶା ଓ ଋଷ ମଧ୍ୟରେ ବାଣିଜ୍ୟିକ ସର୍ମ୍ପକକୁ ଆଗେଇ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ପଦକ୍ଷେପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ ଦିନିଆ ଋଷ ଗସ୍ତରେ ଯାଇ ଋଷର ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଋଷର ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ । ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ ଭ୍ଲାଡିଭୋଷ୍ଟୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ । ଯାହାଦ୍ୱାରା ଋଷିଆ ଏବଂ ଓଡିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ସେହିଭଳି ଭାରତର କୋକିଂ କୋଲର ଚାହିଦାକୁ ପୂରଣ କରିବ ଋଷ । ଭାରତକୁ କୋକିଂ କୋଲର ସହାୟତା ଯୋଗାଇଦେବା ନେଇ ଋଷର ବିଭିନ୍ନ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିଭଳି ଦୁଇ ଦେଶ ମଧ୍ୟରେ ଉର୍ଚ୍ଚା ସହଯୋଗକୁ ବୃଦ୍ଧି କରିବା ନେଇ ଋଷର ଉପମନ୍ତ୍ରୀ ସର୍ଗେ ତୃତ୍ସେଭଙ୍କ ସହ ଆଲୋଚନା ହୋଇଛି ।

ଏହାଛଡା ଭୋଷ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିଷ୍ଠ ଅଧିକାରୀଙ୍କୁ ଭେଟି  ବନ୍ଦରର ସଂପ୍ରସାରଣ ଏବଂ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା କରିଥିଲେ  କେନ୍ଦ୍ରମନ୍ତ୍ରୀ । ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳୀ  ଋଷର ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟ ଉପରେ ଆଲୋଚନା କରିଥିଲେ ।