କ୍ୟାନସର ଯୋଗୁଁ ବିଗୁଡ଼ୁଛି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା । ଅତି ବେଶିରେ ଆଉ ୩ ବର୍ଷ ବଞ୍ଚି ପାରିବେ ବୋଲି ଡାକ୍ତର କହୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

କମିବାରେ ଲାଗିଛି ଦୃଷ୍ଟିଶକ୍ତି, ନିଜକୁ ଦୁର୍ବଳ ବୋଲି ସ୍ୱୀକାର ନ କରିବାକୁ ପିନ୍ଧୁ ନାହାନ୍ତି ଚଷମା

247

କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଉ ୨ରୁ ୩ ବର୍ଷ ବଞ୍ଚିବେ । ପୁଟିନଙ୍କ ଶରୀରରେ କ୍ୟାନସର ଦ୍ରୁତ ଗତିରେ ମାଡି ଚାଲିଛି । ପ୍ରୋଗ୍ରେସିଭ୍ କ୍ୟାନସର ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଏହାର ଚିକିତ୍ସା ଜଟିଳ ତଥା ଶତପ୍ରତିଶତ ଫଳପ୍ରଦ ହେବାର ସମ୍ଭାବନା କମ୍ । ତେଣୁ ପୁଟିନ୍ ଅତିବେଶିରେ ଆଉ ୩ ବର୍ଷ ବଞ୍ଚି ପାରିବେ ବୋଲି ଡାକ୍ତରୀ ଟିମ୍ କହୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ପୂର୍ବତନ ଏଜେଣ୍ଟ ବୋରିସ୍ କାର୍ପିଚକୋଭ୍ କହିଛନ୍ତି, କ୍ୟାନସର ବଢୁଥିବାରୁ ଏହାର ପ୍ରଭାବ ଅନ୍ୟ ଅଙ୍ଗ ଉପରେ ପଡୁଛି । ପୁଟିନଙ୍କ ଦୃଷ୍ଟିଶକ୍ତି କମିବାରେ ଲାଗିଛି । କିନ୍ତୁ ପୁଟିନ୍ ନିଜକୁ ଦୁର୍ବଳ ବୋଲି ସ୍ୱୀକାର ନକରିବାକୁ ଚଷମା ପିନ୍ଧିବାକୁ ମନା କରିଦେଇଥିବା ଜଣାପଡ଼ିଛି । ହେଲେ ତାଙ୍କ ପାଖେ ପାଖେ ସୁରକ୍ଷାକର୍ମୀ ଓ ଡାକ୍ତରମାନେ ରହୁଛନ୍ତି । ୟୁକ୍ରେନର ପ୍ରତିରକ୍ଷା ଅଧିକାରୀ ମଧ୍ୟ ପୁଟିନଙ୍କ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦେଇଥିଲେ । ମେ’ ୯ ତାରିଖରେ ରୁଷର ବିଜୟ ଦିବସ ପାଳନ ବେଳେ ପୁଟିନ୍ ଦୁର୍ବଳ ଜଣା ପଡ଼ୁଥିଲା ।

ଏମିତିକି ପୁଟିନଙ୍କ ଯୋଗୁଁ ବିଜୟ ଦିବସ ପରେଡ୍ ସମୟ ମଧ୍ୟ କାଣ୍ଟଛାଣ୍ଟ କରାଯାଇଥିଲା । ନିକଟରେ ପୁଟିନଙ୍କର କ୍ୟାନସର ଅସ୍ତ୍ରୋପଚାର ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଅସ୍ତ୍ରୋପଚାର ସଫଳ ହେବା ସହ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା କୁହାଯାଇଥିଲା । ହେଲେ ତାଙ୍କୁ ସବୁବେଳେ ଚିକିତ୍ସା ବ୍ୟବସ୍ଥାରେ ରହିବାକୁ ହେବ ବୋଲି ଡାକ୍ତରମାନେ କହିଥିଲେ । ପୁଟିନ୍ ଏକ ବୈଠକରେ ଯାଗଦେବା ପୂର୍ବରୁ ଏପରି ରିପୋର୍ଟ ପ୍ରକାଶ ପାଇଥିଲା ।