କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ୪୬ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନର ରାଜଧାନୀ କିବ୍ ଦଖଲ କରିବାକୁ ଋଷ ସେନାର ଚେଷ୍ଟା ବାରମ୍ବାର ବିଫଳ ହୋଇଛି । ଏହି ପରିପ୍ରେକ୍ଷୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ଯୁଦ୍ଧ ପରିଚାଳନା ନିମନ୍ତେ ଜଣେ ନୂଆ ସେନାଧ୍ୟକ୍ଷଙ୍କୁ ନିଜୁକ୍ତ କରିଥିବା ଜଣାପଡିଛି । ଋଷିଆର ଦକ୍ଷିଣ ସାମରିକ ଜିଲ୍ଲାର କମାଣ୍ଡର ଆଲେକଜାଣ୍ଡର ଡୋରକ୍ନିକୋଭଙ୍କୁ ୟୁକ୍ରେନରେ ଚାଲିଥିବା ସ୍ୱତନ୍ତ୍ର ସେନା କାର୍ଯ୍ୟାନୁଷ୍ଠାନରେ ଥିଏଟର କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି । ମେ ୯ତାରିଖ ସୁଦ୍ଧା ବିଜୟ ହାସଲ ନିମନ୍ତେ ପୁଟିନଙ୍କ ଲକ୍ଷ ପୂରମ କରିବା ପାଇଁ ଜେନେରାଲ ଡୋରକ୍ନିକୋଭ ଲକ୍ଷ ରଖିଛନ୍ତି । ତେବେ କିଏ ଏହି ଆଲେକଜାଣ୍ଡର ଡୋରକ୍ନିକୋଭ ? ଯାହାଙ୍କୁ ଶିରିଆର କଂସେଇ ବୋଲି କୁହାଯାଏ । ଆସନ୍ତୁ ଜାଣିବା...
କମାଣ୍ଡର ଆଲେକଜାଣ୍ଡର ଡୋରକ୍ନିକୋଭ ଋଷିଆର ଦକ୍ଷିଣ ସାମରିକ ଜିଲ୍ଲାର କମାଣ୍ଡର ରହିସାରିଛନ୍ତି । ୬୦ବର୍ଷର ଡୋରକ୍ନିକୋଭ୍ ପୁଟିନଙ୍କ ଆଦେଶକ୍ରମେ ୨୦୧୫ରେ ସିରିଆରେ ଋଷ ଟାକ୍ସ ଫୋର୍ସର ଦାୟୀତ୍ୱ ସମ୍ଭାଳିଥିଲେ । ଆଉ ସିରିଆରେ ଡୋରକ୍ନିକୋଭ୍ ଯେଉଁ କ୍ରୁରତା ଦେଖିବାକୁ ମିଳିଥିଲା ତାହା ଅତ୍ୟନ୍ତ ଭୟାନକ ଥିଲା । ତାଙ୍କୁ ସିରିଆର କଂସେଇ ବୋଲି କୁହାଯାଏ । ସିରିଆରେ ବିଦ୍ରୋହିଙ୍କୁ ନିପାତ କରିବା ପାଇଁ ଯେଉଁ ଆକ୍ସନ ନେଇଥିଲେ ତାହା ଶୁମିଲେ ଏବେ ବି ଲୋକଙ୍କ ଲୋମ ଟାଙ୍କୁରି ଉଠେ । ସିରିଆରେ ଏକପ୍ରକାର ନରସଂହାର କରିଥିଲେ ଡୋରକ୍ନିକୋଭ୍ । ଆଉ ଏବେ ୟୁକ୍ରେନରେ ଯୁଦ୍ଧ ଭାର ସମ୍ଭାଳିବାକୁ ଯାଉଛନ୍ତି ଡୋରକ୍ନିକୋଭ୍ ।