କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟରେ ଶେଷ ହେବାକୁ ଯାଉଛି ରାଜ୍ୟପାଳଙ୍କ କାର୍ଯ୍ୟକାଳ । ତେଣୁ ଏହି ୪ଟି ରାଜ୍ୟରେ ଆଗାମୀ ରାଜ୍ୟପାଳ କିଏ ହେବ ତାକୁ ନେଇ ବଢିଛି ଚର୍ଚ୍ଚା ଆଲୋଚନା । କୁହାଯାଉଛି ଯେଉଁ ନେତାଙ୍କୁ ଏଥର ବିଜେପି ଟିକେଟ୍ ଦେଇନି, ଆଉ ଯେଉଁ ନେତା ନିର୍ବାଚନ ଲଢିନାହାଁନ୍ତି । ସେମାନଙ୍କ ଭିତରୁ କିଛି ନେତାଙ୍କୁ ରାଜ୍ୟପାଳ ପଦରେ ବସାଇପାରେ ଭାରତୀୟ ଜନତା ପାର୍ଟି ।

Advertisment

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ କାର୍ଯ୍ୟକାଳ ଆସନ୍ତା ଦୁଇରୁ ତିନି ମାସ ଭିତରେ ଶେଷ ହେବାକୁ ଯାଉଛି । ଅନ୍ୟପଟେ ପଞ୍ଜାବର ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି , ହେଲେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳିନି । ତେଣୁ ଖାଲି ହେବାକୁ ଥିବା ଏହି ପଦରେ କିଛି ବିଜେପି ନେତାଙ୍କୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପି କିଛି ବରିଷ୍ଠ ନେତା ଏଥର ଲୋକସଭା ନିର୍ବାଚନ ଲଢିନଥିଲେ । ତେଣୁ ଆଶା କରାଯାଉଛି, ଏହି ସବୁ ନେତାଙ୍କ ଭିତରୁ କିଛି ଜଣଙ୍କୁ ରାଜ୍ୟପାଳ ଆସନରେ ବସାଇପାରେ ବିଜେପି । ବିହାରର ଅଶ୍ୱିନୀ ଚୌବେ, ଉତ୍ତରପ୍ରଦେଶର ବିକେଶ ସିଂହ, ଦିଲ୍ଲୀର ନେତା ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଏଥର ଟିକେଟ୍ ଦେଇନଥିଲା ଦଳ । ତେଣୁ ଏହି ସବୁ ନେତା ଏବେ ରାଜ୍ୟପାଳ ରେସରେ ଆଗରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିକେ ସିଂହ ଗାଜିଆବାଦରୁ, ହର୍ଷବର୍ଦ୍ଧନ ଚାନ୍ଦିନୀଚୌକରୁ ଏବଂ ଅଶ୍ୱିନୀ ଚୌବେ ବକ୍ସରୁ ୨୦୧୪ ଏବଂ ୨୦୧୯ରେ ଲଗାତାର ଦୁଇଥର ସାଂସଦ ଭାବେ ନିର୍ବାଚିତ ହେଇଥିଲେ । ବିକେ ସିଂହ ମୋଦୀ କ୍ୟାବିନେଟରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ରହିସାରିଥିଲେ । ସେହିପରି ଡକ୍ଟର ହର୍ଷବର୍ଦ୍ଧନ କେନ୍ଦ୍ର କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ଏବଂ ଅଶ୍ୱିନୀ ଚୌବେ ମଧ୍ୟ କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି । ତେଣୁ ଏହି ନେତାଙ୍କୁ ଆଗାମୀ ଦିନରେ ରାଜ୍ୟପାଳ ଆସନରେ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ କାର୍ଯ୍ୟକାଳ ବଢିପାରେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୬ ତାରିଖରେ ଶେଷ ହେଉଛି ।