କନକ ବ୍ୟୁରୋ: ଏବେବି ବିଜେଡିରେ ପାଣ୍ଡିଆନ୍ ସର୍ବେସର୍ବା, ନବୀନ ପଟ୍ଟନାୟକ ଢାଲ ସାଜିଛନ୍ତି। ଆଉ ଦଳକୁ ବିଭାଜନ କରି ବିଜେପିର ଗୁଡବୁକକୁ ଆସିବାକୁ ଚାହୁଁଛନ୍ତି । ଜାତୀୟ ଗଣମାଧ୍ୟମରେ ଏପରି ଏକ ଖବର ପ୍ରକାଶ ପାଇଛି। ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବା ପରେ ବି ବିଜେଡିରେ ପାଣ୍ଡିଆନଙ୍କ ଦବଦବା କମିନି। ଯାହାକୁ ଢ଼ାଲ କରି ପାଣ୍ଡିଆନ ଦିଲ୍ଲୀରେ ଜଣେ ପାୱାରଫୁଲ କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ବାରମ୍ବାର ଉଦ୍ୟମ କରିଛନ୍ତି। ଡିଲ କରି ଓଡ଼ିଶାରେ ବିଜେଡିରେ ଫାଟ ସୃଷ୍ଟି କରି ବିଜେପିକୁ ଶକ୍ତିଶାଳୀ କରିବାକୁ ପାଣ୍ଡିଆନ ଉଦ୍ୟମ ଚଳାଇଛନ୍ତି। ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ତେବେ ଏଥର ପୁଣିଥରେ ପାଣ୍ଡିଆନଙ୍କ ପାଇଁ ସୁରକ୍ଷାକବଚ ସାଜିଛନ୍ତି ବିଜେଡି ସୁପ୍ରିମୋ। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ନବୀନ ଉଲ୍ଲେଖ କରିଛନ୍ତି,
‘‘ଏହା ସମ୍ପୂର୍ଣ୍ଣ ମିଛ, ଉଦେଶ୍ୟ ପ୍ରଣୋଦିତ, ମାନହାନି ଏବଂ ବିଭ୍ରାନ୍ତକାରୀ ଖବର। ନିଷ୍ଠାପର, ସମର୍ପଣ ଭାବନା ଓ ଦକ୍ଷତା ବଳରେ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି। ଏହି ନିଷ୍ଠାପରତା ପାଇଁ ତାଙ୍କୁ ସମସ୍ତେ ଜାଣନ୍ତି।’’
ନବୀନଙ୍କ ଏହି ପୋଷ୍ଟ ସୂଚାଉଛି ଯେ, ପରାଜୟ ପରେ ମଧ୍ୟ ନବୀନ ଓ ପାଣ୍ଡିଆନଙ୍କ ମଧ୍ୟରେ ସମ୍ପର୍କ ଯଥା ପୂର୍ବ ତଥା ପରଂ ହୋଇ ରହିଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏଭଳି ଚର୍ଚ୍ଚାର ସୃଷ୍ଟି କାହିଁକି ହେଲା? କେଉଁ ଉଦ୍ଦେଶ୍ୟରେ ଏବଂ କାହା ସ୍ବାର୍ଥରେ ଏମିତି ଖବର ପ୍ରକାଶ ପାଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ପାୱାର ଗେମ୍ସ ଆର୍ଟିକଲରେ ଶାହା ଓ ନବୀନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ପାଣ୍ଡିଆନଙ୍କ କଥା ସାମ୍ନାକୁ ଆସିଛି। ନବୀନ ବିଜେପିକୁ ପ୍ରତିଶ୍ରୁତି ମାଗିଛନ୍ତି, ଯଦି ବିଜେପି ପାଣ୍ଡିଆନଙ୍କୁ ଗୁରୁତ୍ବ ନଦିଏ ତେବେ ନମ୍ବରଗେମରେ ପଛୁଆ ଥିବା ବିଜେପିକୁ ଆଗକୁ ଆସୁଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଜଣାଇବ ବିଜେଡି। ଏହି ଖବର ସଂକେତ ଦେଇଥିଲା, ପାଣ୍ଡିଆନ ଓ ନବୀନଙ୍କ ମଧ୍ୟରେ ଦୂରତା ବଢିଛି ଏବଂ ପୁଣିଥରେ ପୁରୁଣା ଭୁଲକୁ ଦୋହରାଇବାକୁ ଚାହୁଁନାହାନ୍ତି ନବୀନ। ତେବେ ଏହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ବୋଲି କହି ଏଡାଇ ଯାଇଛନ୍ତି ବିଜେଡି ବିଧାୟକ।
ପରାଜୟ ପରେ ଦଳ ଭିତରେ ପାଣ୍ଡିଆନଙ୍କୁ ନେଇ ବିରୋଧାଭାଷ ରହିଥିଲେ ମଧ୍ୟ ଦ୍ବିତୀୟଥର ପାଇଁ ସାମ୍ନାକୁ ଆସି କ୍ଲିନଚିଟ୍ ଦେଇଛନ୍ତି ନବୀନ। ନବୀନଙ୍କ ଗୋଟିଏ ପୋଷ୍ଟ ପୁଣି ଥରେ ସମସ୍ତଙ୍କ ଧାରଣାକୁ ବଦଳାଇ ଦେଇଛି।