କନକ ବ୍ୟୁରୋ: ମୟୁରଭଞ୍ଜରେ ମ୍ୟାଜିକ ହେବ । ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବିଜେଡି କର୍ମୀଙ୍କୁ ଏଭଳି ଆହ୍ୱାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନରେ ବାଜି ପାଲଟିଯାଇଥିଲା । ବିଜେଡି ୫୬ରୁ ୫୩ ଜିଲ୍ଲା ପରିଷଦ ଆସନ ପୋଛି ନେଇଥିଲା । ଏବେ ନିର୍ବାଚନକୁ ଆଉ ଅଳ୍ପଦିନ ଥିବାବେଳେ ଜିଲ୍ଲାରେ କି ମ୍ୟାଜିକ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

Advertisment
  • ମୟୁରଭଞ୍ଜରେ ହେବ ମ୍ୟାଜିକ
  • ଦଳୀୟ କର୍ମକର୍ତ୍ତାଙ୍କୁ ପାଣ୍ଡିଆନ ଦେଲେ ଆହ୍ୱାନ

ମୟୁରଭଞ୍ଜରରେ ବିଜେଡି କର୍ମୀଙ୍କୁ ପାଣ୍ଡିଆନଙ୍କ ଆହ୍ୱାନ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ଗଞ୍ଜାମ, କେନ୍ଦ୍ରାପଡା ପରେ ମୟୁରଭଞ୍ଜ ଗସ୍ତରେ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଭି.କେ.ପାଣ୍ଡିଆନ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲାରେ ଭଲ କରିଥିଲା । ଆଗକୁ ମୟୁରଭଞ୍ଜରେ ମ୍ୟାଜିକ ହେବ ।

୨୦୧୯ ନିର୍ବାଚନରେ ମୟୁରଭଞ୍ଜ ବିଜେପିର ଅଭେଦ୍ୟ ଦୁର୍ଗ ପାଲଟିଥିଲା । ଜିଲ୍ଲାର ୯ଟି ବିଧାନସଭା ଆସନରୁ ୬ଟିରେ ଜିତିଥିଲା ବିଜେପି ଆଉ ମାତ୍ର ୩ଟି ଆସନରେ ଜିତିଥିଲା ବିଜେଡି । ମୟୂରଭଞ୍ଜ ଜିଲ୍ଲାରେ ଥିବା ବାରିପଦା, ଉଦଳା, ସାରସକଣା, ରାଇରଙ୍ଗପୁର, ବଡସାହି ଓ ଯଶୀପୁର ସିଟକୁ ଜିତିନେଇଥିଲା ବିଜେପି । ସେହିପରି ମୋରଡା, ବାଙ୍ଗିରିପୋଷି ଓ କରଞ୍ଜିଆରେ ଜିତିଥିଲା ବିଜେଡି । ଏପରିିକି ୨୦୧୪ରେ ମୟୁରଭଞ୍ଜ ଲୋକସଭା ଆସନ ବିଜେଡି ଜିତିଥିଲେ ବି ୨୦୧୯ରେ ବିଜେପିର ବିଶ୍ୱେଶ୍ୱର ଟୁଡୁ ବିଜୟ ହାସଲ କରିଥିଲେ ।

ହେଲେ ୨୦୨୨ ପଞ୍ଚାୟତ ନିର୍ବାଚନରେ କିନ୍ତୁ ବାଜି ଓଲଟିଯାଇଥିଲା । ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୫୩ ଆସନ ଜିତିଥିଲା । କିନ୍ତୁ ମୟୁରଭଞ୍ଜ ଆଦିବାସୀବହୁଳ ଜିଲ୍ଲା । ଏହି ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି । ତେଣୁ ଆଦିବାସୀ ଭୋଟ ଉପରେ ବି ଦୁଇ ଦଳର ନଜର ରହିଛି । ଏବେ ପାଣ୍ଡିଆନଙ୍କ ମ୍ୟାଜିକ ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି ।

ନିର୍ବାଚନକୁ ଆଉ କିଛି ଦିନ ଅଛି । ତେଣୁ ମୟୁରଭଞ୍ଜ ଅକ୍ତିଆର କରିବାକୁ ଉଭୟ ବିଜେଡି ଓ ବିଜେପି ଜୋର ଲଗାଇଦେଇଛନ୍ତି । ଆଦିବାସୀବହୁଳ ଜିଲ୍ଲାରେ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛନ୍ତି ଦୁଇଦଳ ।