ରାଉରକେଲାରେ ଭିକେ ପାଣ୍ଡିଆନଙ୍କ ଦମଦାର ପ୍ରଚାର । କହିଲେ, ରାଉରକେଲା ହେବ ନୂଆ ରାଉରକେଲା । ସମସ୍ତଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ।

163

କନକ ବ୍ୟୁରୋ : ରାଉରକେଲାରେ ଭିକେ ପାଣ୍ଡିଆନଙ୍କ ଦମଦାର ପ୍ରଚାର । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହିତ ଏଥର ଦୁଇଥର ଶଙ୍ଖ ଚିହ୍ନ୍ରରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ବହୁତ ଭଲ ପାଆନ୍ତି, ହକିକୁ ଭଲ ପାଆନ୍ତି । ସୁନ୍ଦରଗଡକୁ ବିଶ୍ୱ ଦରବାରରେ ଗୋଟିଏ ନୂଆ ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ । ହକି ବିଶ୍ୱକପ୍ ଆୟୋଜନରେ ଯେଉଁ ବି କଠିନ ପରିସ୍ଥିତି ଥିଲା, ତାକୁ କଠିନ ପରିଶ୍ରମରେ ସେ ମୁକାବିଲା କଲେ । ହକି ବିଶ୍ୱକପ୍ ଆୟୋଜନ କରିବା ସ୍ୱପ୍ନଠୁ ବାହାରେ ଥିଲା । ହେଲେ ନବୀନ ବାବୁ ଏହାକୁ କରି ଦେଖାଇଲେ ।

ସେ କହିଛନ୍ତି, ରାଉରକେଲାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ଏ ସହର ୧୦-୧୫ ବର୍ଷ ଆଗରୁ କେମିତି ଥିଲା, ଏବେ କେମିତି ହେଇଛି, ତାକୁ ଲୋକମାନେ ଜାଣିଛନ୍ତି । ତେବେ ପୁଣିଥରେ ଯଦି ଲୋକମାନେ ଭୁଲ କଲେ, ତେବେ ରାଉରକେଲା ପୁଣି ସେହି ପୁରୁଣା ରାଉରକେଲା ହେଇଯିବ । ନବୀନ ବାବୁ ନୂଆ ରାଉରକେଲା, ନୂଆ ରଘୁନାଥପାଲି ଗଠନ କରିବେ ବୋଲି କହିଛନ୍ତି ପାଣ୍ଡିଆନ୍ ।

ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି? ତେଲ ଦର କମିଲା କି, ପେଟ୍ରୋଲ, ଡିଜେଲ ଦର କମିଲା କି ? ରାଉରକେଲାରେ କେନ୍ଦ୍ର ସରକାରଙ୍କ ଜରିଆରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ହେଲା କି ? ଏ ସବୁ ମିଛ ପ୍ରତିଶ୍ରୁତି ଦେଇଥିଲେ, କିଛି ବି ହେଲାନି । ହେଲେ ମୁଖ୍ୟମନ୍ତ୍ରୀ ଯାହା ବି କହନ୍ତି, ତାହା କରିକି ଦେଖାନ୍ତି । ସୁନ୍ଦରଗଡରେ ସରକାରୀ ମେଡିକାଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଆର୍ଶୀବାଦରେ ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ, ବିଜୁଳି ବିଲ୍ ଛାଡ ହେବ । ଓଡିଶାରେ ଥିବା ୯୦ ପ୍ରତିଶତ ପରିବାର ଏଥିରେ ଉପକୃତ ହେବେ । ବସ୍ତିବାସିନ୍ଧାଙ୍କୁ ଆଉ ବିଲ୍ ଦେବାକୁ ପଡିବନି । ଅନ୍ୟ ଲୋକଙ୍କୁ ମଧ୍ୟ ବହୁତ କମ୍ ବିଲ୍ ପଡିବ । ସେହିପରି ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଦସ୍ତଖତ କରିବେ, ଆଉ ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇବେ । ସରକାରୀ କର୍ମଚାରୀ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇବେ ବୋଲି କହିଛନ୍ତି ପାଣ୍ଡିଆନ୍ ।

ସୁନ୍ଦରଗଡ ପାଇଁ ନବୀନ ପଟ୍ଟନାୟକ ଅନେକ କାମ କରିଛନ୍ତି ବୋଲି କହିବା ସହ, ସେ କହିଛନ୍ତି, ସବୁ ବ୍ଲକରେ ଆଷ୍ଟ୍ରୋଟର୍ଫ ହକି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ପାଇଁ ଏସଡିସି ଗଠନ, ୫୦ ହଜାର ପୋଲିସ କେସକୁ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।