ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । ଆଗକୁ କେଉଁ ଭୂମିକା?

846

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ ଅଫିସର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ଏବେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି । କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ? ଆଗକୁ କ’ଣ ରହିବ ଭି.କେ ପାଣ୍ଡିଆନଙ୍କ ପଦକ୍ଷେପ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ଏବେ କେଉଁ ଭୂମିକାରେ ନଜର ଆସିବେ ପାଣ୍ଡିଆନ? ଅବସର ପରେ ଏହି ଅଭିଜ୍ଞତାକୁ କେଉଁ ଦିଗରେ ବିନିଯୋଗ କରିବେ? ଏବେ ଏମିତି ସବୁ ପ୍ରଶ୍ନ ସାଧାରଣ ମହଲଠୁ ଆରମ୍ଭ କରି ରାଜ୍ୟ ରାଜନୀତି ମହଲରେ ସୃଷ୍ଟି ହୋଇଛି ।

ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ  କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ। ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି । ପାଣ୍ଡିଆନଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଜଣାଇଛି ।