ତାଳଚେରରେ ଟାର୍ଗେଟ କଲେ ପାଣ୍ଡିଆନ । କୋଇଲା ଟଙ୍କା କିଏ ଖାଉଛି ବୋଲି କଲେ ପ୍ରଶ୍ନ, ୨୭ ହଜାର କୋଟିରୁ ଓଡ଼ିଶାକୁ ମାତ୍ର ୪,୫୦୦ କୋଟି ମିଳୁଥିବା ଦେଲେ ତଥ୍ୟ ।

194

କନକ ବ୍ୟୁରୋ: ମାରାଥନ୍ ପ୍ରଚାର ଜାରି ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ପାଲଲହଡ଼ା ପରେ ତାଳଚେରରେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡିର ଷ୍ଟାର ପ୍ରଚାରକ ପାଣ୍ଡିଆନ୍ । ଲୋକଙ୍କୁ ପ୍ରଶ୍ନ କଲେ ମା’ ହିଙ୍ଗୁଳା ମନ୍ଦିରକୁ ୧୬ କୋଟି କିଏ ଦେଇଛନ୍ତି? ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ କୋଇଲା ରୟାଲଟି ବିଷୟ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି । କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲଟି ବୃଦ୍ଧି ଦରକାର ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କ ଏମ୍‍.ସି.ଏଲ୍‍. ଲାଭ କରୁଛି ୨୭ ହଜାର ୫୦୦ କୋଟି । ଟ୍ୟାକ୍‍ସକୁ ବାଦ୍‍ ଦେଲେ ଲାଭ କରୁଛି ୧୩ ହଜାର ୭୦୦ କୋଟି । କିନ୍ତୁ ଓଡ଼ିଶା ଏଥିରୁ ପାଉଛି ମାତ୍ର ୪ ହଜାର ୫୦୦ କୋଟି । ୨୦୦୪ରୁ କୋଇଲା ରୟାଲଟି ସଂଶୋଧନ ହୋଇନି । ଯଦି ରୟାଲଟି ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା ୧୦ ହଜାର କୋଟି ଏବଂ ଡି.ଏମ୍‍.ଏଫ୍ ବାବଦରେ ମଧ୍ୟ ୨ ହଜାର କୋଟି । ସମୁଦାୟ ୧୨ ହଜାର କୋଟିରେ ଆପଣଙ୍କ ଅଞ୍ଚଳର ବ୍ୟାପକ ରୂପାନ୍ତରଣ ହୋଇପାରିଥାନ୍ତା । କିନ୍ତୁ ରୟାଲଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି । ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା । ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ, ତା’ପରେ ୪୦ ହଜାର ଭୋଟରେ ହାରିଲେ । ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ । ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ସହି ପାରିବେ କି ? ଆପଣମାନଙ୍କ ଆଶୀର୍ବାଦରେ ସେମାନେ ଏଥର ବି ପରାଜୟ ଗ୍ରହଣ କରିବେ

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳର, ଦଶବର୍ଷ ହେଲା ମନ୍ତ୍ରୀ ଅଛନ୍ତି, ଖୁସିର କଥା, କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ଏ ମାଟିରେ ପୁଅ ହୋଇ କାହିଁକି କରିପାରିଲେ ନାହିଁ ? ନିଜ ଅଞ୍ଚଳ, ନିଜ ମାଟି ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବାର ୧୦ ବର୍ଷ ବିତିଲା କିନ୍ତୁ ନିଜ ଗାଁ ଲୋକଙ୍କ ମନକୁ ଜିଣିପାରିଲେ ନାହିଁ । ନିର୍ବାଚନ ମଣ୍ଡଳୀ ବଦଳାଇ ନିଜକୁ ସମ୍ୱଲପୁରକୁ କୋରିଅର କରିଦେଲେ । ଏବେ ସେଠି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢ଼ିବାକୁ ଡରୁ ନାହାନ୍ତି, କେନ୍ଦ୍ରମନ୍ତ୍ରୀ ନିଜ ମାଟିରେ ଛିଡ଼ା ହେବାକୁ କାହିଁକି ଡରୁଛନ୍ତି ।

କେନ୍ତ୍ରମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି କି ? ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ୟ୍ୟନ୍ତ କରିପାରିଲେନି । ତୈଳମନ୍ତ୍ରୀ ଭାବେ ପେଟ୍ରୋଲ, ଡିଜେଲ, ଏଲ୍‍.ପି.ଜି. ଦର କମେଇ ପାରିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁସ୍କୁଲର ୫ଞ ରୂପାନ୍ତରଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ କେବଳ କ୍ଷମତା ଲୋଭ ଥିବ ସେ କେବେ ବି ଜିତି ପାରିବ ନାହିଁ, ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ ।