କନକ ବ୍ୟୁରୋ : ବଙ୍ଗୋମୁଣ୍ଡା ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସମ୍ମାନ କରୁଛନ୍ତି । ଅଶାଳୀନ ଭାଷାରେ କଥା କହୁଛନ୍ତି । ୱାର୍ଡ ମେମ୍ବର ନିର୍ବାଚନରେ ଜିତିପାରିଲେନି, ଜିଲ୍ଲା ପରିଷଦ ନିର୍ବାଚନରେ ଜିତିପାରିଲେନି, ଜନ୍ମମାଟି ଛାଡି ସମ୍ବଲପୁର ଧାଇଁଲେ ନିର୍ବାଚନ ଲଢିବାକୁ । ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବାକୁ ଆପଣଙ୍କୁ ସାହସ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।
କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାନ୍ଧ ଉପରେ ବସି ନିର୍ବାଚନ ଲଢୁଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କ କାନ୍ଧରୁ ଓହ୍ଲାଇବେ ତେବେ ଗୋଟିଏ ବି ସିଟ୍ ପାଇବେନି । ଓଡ଼ିଶାବାସୀ ଭଲ ଭାବରେ ଜବାବ ଦେବା ଜାଣିଛନ୍ତି । ୨୦୨୪ରେ ଓଡ଼ିଶାବାସୀ ଉତ୍ତର ଦେବେ ବୋଲି କହିଛନ୍ତି ପାଣ୍ଡିଆନ । ଏହାସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପାଣ୍ଡିଆନ ।