କନକ ବ୍ୟୁରୋ: ଆଜି ମାଲକାନଗିରି କାଲିମେଳାରେ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି କ୍ରମରେ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ ।

Advertisment

ପାଣ୍ଡିଆନ୍ କହିଥିଲେ , ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି ଆଦିବାସୀ ଭାଇଭଉଣୀଙ୍କ ଶ୍ରଦ୍ଧା ଓ ସହଯୋଗ ଦେଖି ବିରୋଧୀ ଡରୁଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇଭଉଣୀଙ୍କୁ ନିଜ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଆସିଛନ୍ତି । ସେମାନଙ୍କ କଳା, ସଂସ୍କୃତି, ଭାଷା, ଦେବସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ‘ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ’ ଗଠନ କରି ବିକାଶର ଧାରାକୁ ଆଗେଇ ନେଇଛନ୍ତି । ସବୁଠାରୁ ବଡକଥା ହେଲା ଆଦିବାସୀଙ୍କ ଉପରେ ଅନେକ ପୋଲିସ କେସ୍ ଏକସାଇଜ୍ କେସ୍ ଥିବାବେଳେ ମୁଖ୍ୟମନ୍ତ୍ରୀ ସେଥିରୁ ୫୦ ହଜାରରୁ ଅଧିକ କେସକୁ ରଦ୍ଦ କରିଛନ୍ତି, ଯାହା ବାସ୍ତବିକ ଏକ ଐତିହାସିକ ପଦକ୍ଷେପ ।

ଏହା ବ୍ୟତୀତ ଆଦିବାସୀ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ଲକ୍ଷ୍ୟରେ ରାଜ୍ୟରେ ଆବାସିକ ବିଦ୍ୟାଳୟ ସହ ହଷ୍ଟେଲ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟସେମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟରେ ଯେତେ ସରକାରୀ ଯୋଜନା ଆରମ୍ଭ ହୋଇଛି ଅଧିକାଂଶ ଏହି ମାଲକାନଗିରି ଜିଲ୍ଲାରୁ ହିଁ ଆରମ୍ଭ ହୋଇଛି । ୨୦୦୮ରେ ୨ ଟଙ୍କିଆ ଚାଉଳ , କ୍ରମେ ମାଗଣା ଚାଉଳ ଯୋଗାଣ ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା ।

କେବଳ ଏତିକି ନୁହେଁ ଗରୀବ , ସରଳ ଆଦିବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବାକୁ ବିଏସକେୱାଇ ଯୋଜନା ଆରମ୍ଭ କଲେ , ଯାହା ଦ୍ୱାରା ସେମାନେ ରାଜ୍ୟ ତଥା ରାଜ୍ୟ ବାହରର ବଡ ବଡ ହସ୍ପିଟାଲ ଯାଇ ଚିକିତ୍ସା କରାଇପାରିବେ । ଆଦିବାସୀ ଅଧ୍ୟୁଷିତ ଇଲାକରେ ଗମନାଗମନ ସୁବିଧା ପଇଁ ମଧ୍ୟ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରି ବିଜେଡି ନବୀନ ସରକାର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି । ଆଗକୁ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ସାମୂହିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କହିଛନ୍ତି ଭି କେ ପାଣ୍ଡିଆନ୍ ।