ଆସିଲା କରୋନାର ନୂଆ ଔଷଧ । ଭିରାଫିନ ଇଂଜେକ୍ସନ୍ ବ୍ୟବହାରକୁ ମଞ୍ଜୁରୀ ଦେଲା ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ।

259

କନକ ବ୍ୟୁରୋ: କ୍ରମାଗତ ଦୁଇ ଦିନ ଧରି ଦେଶରେ ରେକର୍ଡ ଭାଙ୍ଗୁଥିବା ଦୈନିକ ସଂକ୍ରମଣ ଭୟ ବଢ଼ାଉଥିବା ବେଳେ ଟିକିଏ ଆଶ୍ୱସ୍ତି କଲାଭଳି ଖବର ଆସିଛି । କରୋନା ମୁକାବିଲାକୁ ଜୋରଦାର କରିବା ପାଇଁ ଜାଇଡସ୍ କାଡିଲା ଫାର୍ମା କଂପାନୀ ନିର୍ମିତ ‘ଭିରାଫିନ୍’ ଇଂଜେକ୍ସନକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିଜିସିଆଇ । ସୀମିତ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଛି ଏହି ଅନୁମତି । ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି, ମଧ୍ୟମ ଧରଣର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଭାଇରାଲ ଔଷଧ ବେଶ ଫଳପ୍ରଦ ସାବ୍ୟସ୍ତ ହେଉଛି ।

  • କରୋନା ଚିକିତ୍ସା ପାଇଁ ଔଷଧ
  • ‘ଭିରାଫିନ୍’ ଔଷଧକୁ ଅନୁମତି ଦେଲେ ଭାରତ ସରକାର
  • ମଧ୍ୟମ ଧରଣର ଆକ୍ରାନ୍ତଙ୍କ ପାଇଁ ସାଜିପାରେ ମହୌଷଧି

ତେବେ ନଜର ପକାନ୍ତୁ ‘ଭିରାଫିନ’ର ବିଶେଷତ୍ୱ ଉପରେ –

  • ଏହା ସିଙ୍ଗଲ ଡୋଜର ଭାଇରାଲ୍ ଇଂଜେକ୍ସନ୍
  • ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଫଳପ୍ରଦ
  • ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଆଗଲେ ଶୀଘ୍ର ସୁସ୍ଥ ହେବାରେ ସହାୟକ ହୋଇଥାଏ
  • ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ରୋଗୀଙ୍କୁ ଶକ୍ତି ଦେଇଥାଏ
  • ଅକ୍ସିଜେନର ଆବଶ୍ୟକତାକୁ କମାଇଥାଏ, ରୋଗୀଙ୍କୁ କଷ୍ଟ କମ ହୁଏ
  • କଂପାନୀର ଦାବି – ଔଷଧ ବ୍ୟବହାରର ୭ ଦିନରେ ୯୧ ପ୍ରତିଶତ ରୋଗୀଙ୍କ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଆସିଛି ନେଗେଟିଭ୍

ତେବେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଭିରାଫିନକୁ ବ୍ୟବହାର ପାଇଁ ଅନୁମତି ମିଳିବ । ଏହି ଔଷଧ ହେପାଟାଇଟିସ୍ ବି ଓ ସି ରୋଗରେ ଆକ୍ରାନ୍ତଙ୍କୁ ଦିଆଯାଏ । ତେବେ କରୋନା ଚିକିତ୍ସାରେ ଏହାର ପ୍ରଭାବ ନେଇ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଇଛି । ଭାରତର ୨୫ଟି କେନ୍ଦ୍ରରେ ପ୍ରାୟ ୨୫୦ ଜଣ ରୋଗୀଙ୍କ ଠାରେ ଏହାର ପ୍ରୟୋଗ କରାଯାଇଥିଲା । ଏହାର ଫଳ ବେଶ ସକରାତ୍ମକ ରହିଛି ବୋଲି ଦାବି କରିଛି ‘ଭିରାଫିନ୍’ର ନିର୍ମାତା ଜାଇଡସ୍-କାଡିଲା ।