କମ୍ ବୟସରେ ପିଏଚଡି କରି ରେକର୍ଡ କଲେ ଦୃଷ୍ଟିବିହୀନ ମହିଳା , ଛୁଟିଲା ପ୍ରଶଂସାର ସୁଅ ।

117

ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ସବୁ ବାଧା ବିଘ୍ନ ହାର ମାନିଯାଏ । ଯଦି ମନୋବଳ ଦୃଢ ତାହାଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରେ । ଏବେ ପର୍ଯ୍ୟନ୍ତ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅସାଧାରଣ କର୍ମ କରି ନିଜ ଜୀବନରେ ସଫଳତା ହାସଲ କରିଛନ୍ତି । ଆଜି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା । ନିଜେ ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଦେଶର ସର୍ବକନିଷ୍ଠ ପିଏଚଡି ଡିଗ୍ରୀ ଧାରୀ ହେବାର ରେକର୍ଡ ନିଜ ନାଁରେ କରିପାରିଛନ୍ତି ଜ୍ୟୋତ୍ସା ଫନୀଯା । ଜ୍ୟୋତ୍ସା ହେଉଛନ୍ତି ହାଇଦ୍ରାବାଦର ମୂଳ ବାସିନ୍ଦା । ବୟସ ୨୫ ବର୍ଷ । କମ୍ ବୟସରେ ହିଁ ସେ ଇଂରାଜୀ ସାହିତ୍ୟରେ ପିଏଚଡି ଡିଗ୍ରୀ ପୁରା କରିଛନ୍ତି । ତାଙ୍କ ବିଷୟ ଥିଲା ‘ପୋଷ୍ଟ କଲୋନିଆଲ ୱମେନ ରାଇଟ୍ସ’ ।

ଆମ ସମାଜରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଅଧିକ ବାଧା ବିଘ୍ନର ସାମ୍ନା କରିବାକୁ ପଡିଥାଏ । ନିଜର ଶାରୀରିକ ଦୁର୍ବଳତା ପାଇଁ ସେମାନଙ୍କୁ ଅନ୍ୟମାନଙ୍କ ଟାହି ଟାପରା ମଧ୍ୟ ଶୁଣିବାକୁ ପଡିଥାଏ । ଗଣମାଧ୍ୟମକୁ ଦେଉଥିବା ଏକ ସାକ୍ଷାତକାର ସମୟରେ ଜ୍ୟୋତ୍ସ୍ନା କହିଥିଲେ ଯେ ସେ ଜନ୍ମରୁ ହିଁ ଦେଖିପାରନ୍ତି ନାହିଁ । ଦଶମ ପର୍ଯ୍ୟନ୍ତ ପାଠପଢା ସେ ଏକ ଅନ୍ଧ ବିଦ୍ୟାଳୟରେ ହିଁ ପୁରା କରିଥିଲେ । ସ୍କୁଲ ପରେ କଲେଜ ଆଡ଼ମିସନ ସମୟରେ କଲେଜ ପ୍ରିନ୍ସିପାଲ ତାଙ୍କୁ ଆଡ଼ମିସନ ଦେବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ହିଁ ଜ୍ୟୋତ୍ସା ଏକ ଚ୍ୟାଲେଞ୍ଜ ହିସାବରେ ଗ୍ରହଣ କରିଥିଲେ । ଦିବ୍ୟାଙ୍ଗମାନେ ବି ଅନ୍ୟମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ଏହାକୁ ପ୍ରମାଣ କରିବା ପାଇଁ ମନୋବଳ ଦୃଢ଼ କରିଥିଲେ । ଏହା ପରେ ଜ୍ୟୋତ୍ସା କେବେବି ପଛକୁ ବୁଲି ଚାହିଁ ନାହାନ୍ତି । ୨୦୧୧ ମସିହାରେ ସେ ନେଟ ପରୀକ୍ଷାରେ ଉତୀର୍ଣ୍ଣ ହେବା ସହ ବିଭିନ୍ନ ପୁସ୍ତକ ଓ ପତ୍ର ପତ୍ରିକାରେ ୧୦ ରିସର୍ଚ୍ଚ ଆର୍ଟିକଲ ମଧ୍ୟ ଲେଖିଛନ୍ତି । ବିଭିନ୍ନ ସେମିନାର ଓ କନଫରେନସ ଗୁଡିକରେ ୬ ଟି ରିସର୍ଚ୍ଚ ପେପରକୁ ପ୍ରଦର୍ଶନ କରିଛନ୍ତି । ପିଏଚଡି ସାକ୍ଷାତକାର ସମୟରେ ଜ୍ୟୋତ୍ସ୍ନାଙ୍କୁ ଖୁବ ଅପମାନର ସାମ୍ନା ମଧ୍ୟ କରିବାକୁ ପଡିଥିଲା । କିନ୍ତୁ କାହାକୁ ଖାତିର ନକରି ଜ୍ୟୋତ୍ସ୍ନା ଆଜି ନିଜ ଲକ୍ଷ ହାସଲ କରିପାରିଛନ୍ତି ।