କନକ ବ୍ୟୁରୋ : ସ୍ୱପ୍ନ ଏମିତି ଏକ ଶବ୍ଦ ଯାହା ଅନେକଙ୍କୁ ରାତି ରାତି ଶୁଆଇଦେଇନଥାଏ । ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ କଠିନ ପରିଶ୍ରମ କରିଥାନ୍ତି । ସଫଳତାର ଶିଢି ଚଢିବାକୁ ହେଲେ ଅନେକ ସଂଘର୍ଷ କରିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଦେଖାଯାଏ କି ଅଭାବ , ଅନାଟନ ଅନେକଙ୍କ ସଫଳତାରେ ବାଧା ସୃଷ୍ଟି କରିଥାଏ । କିଏ ହାର ମାନିଯାଏ ତ ଆଉ କେହି କେହି ସେହି ଦୁର୍ବଳତାକୁ ନିଜର ଶକ୍ତି ରୂପେ ବ୍ୟବହାର କରି ଏକ ନୂତନ ଉଦାହରଣ ସୃଷ୍ଟି କରିବା ସହ ନୂଆ ଇତିହାସ ସୃଷ୍ଟି କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ , ଯିଏ ନିଜ ଦୁର୍ବଳତାକୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ଏମିତି ଏକ ବ୍ୟକ୍ତି ଯିଏ ନିଜ ଅକ୍ଷମତାକୁ ଖାତିର ନକରି , ନିଜ ଶକ୍ତିକୁ ନେଇ ଏକ ନୂତନ ସଫଳତାର କାହାଣୀ ଲେଖିଛନ୍ତି ।

Advertisment

ଆଠ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ ୟଶ୍ ସୋନାକିଆ । ମଧ୍ୟପ୍ରଦେଶର ଏକ ଗରିବ ଘରେ ଜନ୍ମ ଗ୍ରହଣ କରିଥିବା ୟଶ୍ ସୋନାକିଆ , ନିଜର ଅଦମ୍ୟ ନିଷ୍ଠା ବଳରେ ଏକ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ୟଶଙ୍କ ପିତା ଯଶପାଲ ସୋନାକିଆ ଏକ କ୍ୟାଣ୍ଟିନ୍ ଚଳାଇ ନିଜ ପରିବାର ପ୍ରତିପୋଷଣ କରନ୍ତି । ୟଶ ପ୍ରାରମ୍ଭରେ ଏକ ଭିନ୍ନକ୍ଷମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ଗଣିତ ଏବଂ ବିଜ୍ଞାନରେ ୟଶଙ୍କର ପ୍ରବଳ ଜ୍ଞାନ ଥିଲା । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମନ ଭିତରେ ଥିବା ଦୃଢ ଇଚ୍ଛାଶକ୍ତି ୟଶ ସୋନାକିଆଙ୍କୁ ତାଙ୍କ ସଫଳତା ପାଇଁ ପ୍ରେରିତ କରିଥିଲା । ପୁଅର ଇଚ୍ଛାଶକ୍ତି ଦେଖି ବାପା ମଧ୍ୟ ତାଙ୍କୁ ସଫ୍ଟୱେୟାର ଇଞ୍ଜିନିୟର ହେବାରେ ସହାୟକ ହୋଇଥିଲେ । ପୁଅ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଯଶପାଲ ସୋନାକିଆ ବହୁ ପରିଶ୍ରମ କରିଥିବା କହିଛନ୍ତି ।

ଆଇଆଇଟି କିମ୍ବା ଏନଆଇଟି ନୁହେଁ ବରଂ ଏକ ସାଧାରଣ କଲେଜ ଶ୍ରୀ ଗୋବିନ୍ଦ୍ରମ ସେକସରିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ କଲେଜରୁ ୟଶ୍ ନିଜର ଇଞ୍ଜିନିୟରିଂ ପଢା ଶେଷ କରିଥିଲେ ଏବଂ ଏହାପରେ ଏକ ରେକର୍ଡ ବ୍ରେକିଂ ପ୍ୟାକେଜ୍ ସହ ଚାକିରି ପାଇ ଏବେ ସେ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ସ୍କ୍ରିନ ରିଡର ସଫ୍ଟୱେୟାର ସାହାଯ୍ୟରେ ପାଠ୍ୟକ୍ରମ ଶେଷକରି ଡିଗ୍ରୀ ହାସଲ କରିବାର ମାତ୍ର ଏକବର୍ଷ ପରେ ବିଶ୍ୱର ପ୍ରସିଦ୍ଧ କମ୍ପାନୀ ମାକ୍ରୋସଫ୍ଟରୁ ୪୭ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରିର ଅଫର ପାଇଛନ୍ତି । ବାଙ୍ଗାଲୋର ସ୍ଥିତ କାର୍ଯାଳୟରେ ଏବେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରିବେ ୟଶ । ଜନ୍ମ ହେବା ପରେ ଗ୍ଲୁକୋମା ହେତୁ ୟଶ ସୋନାକିଆ ମାତ୍ର ୮ବର୍ଷ ବୟସରେ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇବସିଲେ, ହେଲେ ପିଲାଦିନରୁ ଇଞ୍ଜିନିୟର ହେବାର ସ୍ୱପ୍ନକୁ ପୂରଣ କରିବାକୁ ସେ କଠିନ ପରିଶ୍ରମ କରିଥିଲେ । ତାଙ୍କର ଏହି ସଂଘର୍ଷ ପଥରେ ସାହାରା ହୋଇ ଛିଡାହୋଇଥିଲେ ୟଶଙ୍କ ପିତାମାତା । ଜନ୍ମରୁ ଗ୍ଲୁକୋମା ସହ ଲଢେଇ କରି ଆଠ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇଛନ୍ତି ସତ ହେଲେ ୟଶଙ୍କ ଏହି କାହାଣୀ ଅନେକଙ୍କ ପାଇଁ ପ୍ରେରଣା ସଦୃଶ ।