ଆଉ ଶୁଣିକି ନୁହେଁ ଏବେ ନିଜେ ପଢି ପଢି ଶ୍ରୀମଦ ଭାଗବତ ଗୀତାର ରସ ପାନ କରିବେ ଦୃଷ୍ଟିହୀନ । ବ୍ରେଲ ଲିପିରେ ଆସିଲା ଓଡିଆ ଭାଗବତ ଗୀତା ।

239

କନକ ବ୍ୟୁରୋ: ଭଗବାନ ଦୃଷ୍ଟିଶକ୍ତି ଦେଇ ନାହାନ୍ତି ବୋଲି ଜୀବନରେ ତାଙ୍କୁ ଦେଖିବାର ସମ୍ଭାବନା ନାହିଁ । ଯେତିକି ଶୁଣିଲେ, ସେତିକି ଅନୁଭବ କଲେ । ଶୁଣି ଶୁଣି ହିଁ ଭଗବାନଙ୍କ ଭକ୍ତିରେ ଭିଜନ୍ତି ଦୃଷ୍ଟିହୀନମାନେ । ହେଲେ ଆଉ ଏବେ ଶୁଣିକି ନୁହେଁ ବରଂ ନିଜେ ପଢି ପଢି ଭଗବତ ପ୍ରେମର ରସ ପାନ କରିବେ ଦୃଷ୍ଟିବାଧିତ ଭକ୍ତମାନେ । କାରଣ ଓଡିଆ ବ୍ରେଲ ଲିପିରେ ପ୍ରଥମ ଥର ପାଇଁ ଛପା ଯାଇଛି ଶ୍ରୀମଦ ଭଗବତ ଗୀତା ଓ ଶ୍ରୀମଦ ଭଗବତ ମହାପୁରାଣ ।

ଗୀରିଶ ଚନ୍ଦ୍ର ବେହରା । ଭାଗବତ ପଢି ପ୍ରଭୁଙ୍କ ଧ୍ୟାନରେ ଲୀନ ହେବା ପାଇଁ ଚାହୁଁଥିଲେ । କିନ୍ତୁ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବାରୁ ଏହା ଥିଲା ସାତ ସପନ । କିନ୍ତୁ ଆଜି ତାଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି । ବହିର ପୃଷ୍ଠାରେ ଆଙ୍ଗୁଲିର ସ୍ପର୍ଶ ବାଜିବା ମାତ୍ରକେ ଓଠରୁ ଅନର୍ଗଳ ଝରିପଡୁଛି ଭକ୍ତିର ଭାବ । ଓଡିଆ ବ୍ରେଲ ଲିପିରେ ଭାଗବତ ପଢି ତାଙ୍କୁ ମିଳିଛି ଆତ୍ମସନ୍ତୋଷ । ଇଶ୍ୱର ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଗିରିଶ ।

ପୂର୍ବରୁ ଓଡିଆ ବ୍ରେଲ ଲିପିରେ ଅନେକ ପାଠ୍ୟପୁସ୍ତକ ଛପା ଯାଇଥିବାବେଳେ ବହି ମାଧ୍ୟମରେ ଆଧ୍ୟାତ୍ମିକ ଜ୍ଞାନ ଅଧ୍ୟୟନ କରିବା ପାଇଁ ପୂର୍ବରୁ କୌଣସି ସୁଯୋଗ ନଥିଲା । କିନ୍ତୁ ଏବେ ଦୃଷ୍ଟିବାଧିତ ଏହି ବହି ପଢି ପାଇପାରିବେ ଭଗବତ ଜ୍ଞାନ । ଆଖିରେ ଦୃଷ୍ଟିଶକ୍ତି ଚାଲିଯାଇଛି ସିନା ହେଲେ ମନରେ ଭରି ରହିଛି ଈଶ୍ୱର ଭକ୍ତି । ଭଗବାନଙ୍କ କଥାମୃତ ଯେତେ ଶୁଣିଲେ ବି ପଢିବାର ଯେଉଁ ମଜା ତାହା ମିଳୁନଥିଲା । ଏବେ କିନ୍ତୁ ଓଡିଆ ବ୍ରେଲ ଲିପିରେ ଭଗବତ ପାଠରେ ବିତିବ ସମୟ ।