କନକ ବ୍ୟୁରୋ: ଆଖିର ଜ୍ୟୋତି ସିନା ଚାଲିଗଲା । ହେଲେ କଣ୍ଠରେ ବିଜେକଲେ ମା’ ବାକଦେବୀ । ସ୍ୱରର ଯାଦୁରେ ସମସ୍ତଙ୍କ ମନ ମୋହିନେଉଛନ୍ତି । ସକାଳ ହେଉ କି ସଞ୍ଚ ତାଙ୍କ ସ୍ୱରର ଝଙ୍କାରରେ ଆଖପାଖରେ ସୃଷ୍ଟି କରିପାରୁଛନ୍ତି ଭିନ୍ନ ଏକ ପରିବେଶ । ଏପରି ଜଣେ ପ୍ରତିଭା ହେଉଛନ୍ତି ପାରଳାଖେମୁଣ୍ଡି ସହରର ନୃସିଂହନାଥ ପାଢୀ ।

Advertisment

ପାରଳାଖେମୁଣ୍ଡି କଟିକା ସାହି ବାସିନ୍ଦା ନୃସିଂନାଥ ପାଢୀ । ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି । ତାଙ୍କର ଶିକ୍ଷା ବାବଦରେ ବାପା, ମା’ ଭାରି ଚିନ୍ତାରେ ଥିଲେ । ହେଲେ ତାଙ୍କ ଭିତରର ପ୍ରତିଭାକୁ ଅନୁଭବ କରିପାରିଥିଲେ । ସଙ୍ଗୀତ ପ୍ରତି ତାଙ୍କ ରୁଚି ଥିବା ଅନୁଭବ କରିପାରି ତାଙ୍କୁ ଜଣେ ସଙ୍ଗୀତ ଶିକ୍ଷକଙ୍କ ପାଖକୁ ଗୀତ ଶିଖାଇବାକୁ ପଠାଇଲେ । ଏହାପରେ ଆଗକୁ ଆଗକୁ ବଢିଚାଲିଲେ ନୃସିଂହ । ସଙ୍ଗୀତକୁ ପେଶା ଭାବେ ମଧ୍ୟ ଗ୍ରହଣ କଲେ ନୃସିଂହ । ଦୁନିଆଁର ସୁନ୍ଦରତାକୁ ସିନା ଚର୍ମଚକ୍ଷୁରେ ଦେଖିପାରିନାହାଁନ୍ତି । ହେଲେ ଅନୁଭବ ଶକ୍ତି ତାଙ୍କ ଖୁବ୍ ପ୍ରଖର । ତେଣୁ ତାଙ୍କର ଅନୁଭବି ମନ ତ ଅନୁଭବ କରିପାରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ଜଗଜ୍ଜନନୀଙ୍କ କରୁଣାକୁ । କଣ୍ଠରୁ ତାଙ୍କର ଝରିଆସେ ଭଜନ ଓ ଜଣାଣ ।

କେବଳ ଗୀତ ଗାଇବାରେ ନୁହେଁ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ବେଶ୍ ନିପୁଣ ନୃସିଂହ । ଏବେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଶିକ୍ଷା ଦେଇ ସ୍ଥାନୀୟ ଅଞ୍ଚଳରେ ଜଣେ ନମସ୍ୟ ବ୍ୟକ୍ତିତ୍ୱ ହୋଇପାରିଛନ୍ତି ।

ଦୃଷ୍ଟି ବାଧିତ ହେଲେ ବି ଆତ୍ମନିର୍ଭରଶୀଳ ନୃସିଂହ । କେବେ କାହାରି ଉପରେ ନିର୍ଭର କରୁନଥିବା ନୃସିଂହଙ୍କ ପାଇଁ ଏ ଜଗତ ମଧୁମୟ । ଦିବ୍ୟାଙ୍ଗ ତାଙ୍କ ପାଇଁ ଅଭିଶାପ ନୁହେଁ ବରଂ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ସେ କୁହନ୍ତି ।