ମଣିଷ ଗଢୁଛନ୍ତି ଦୃଷ୍ଟି ବାଧିତ ଦମ୍ପତ୍ତି: ସ୍ୱାମୀ ଶିକ୍ଷକ, ସ୍ତ୍ରୀ ଅଧ୍ୟାପିକା

220

କନକ ବ୍ୟୁରୋ: ‘ଚ୍ୟାଲେଂଜ ଅଛି ତ ସଲ୍ୟୁସନ୍ ବି ଅଛି । ନିଜ ପାଇଁ ସମାଜ ପାଇଁ ଅନେକ କିଛି କରିବାର ଅଛି’ ।
ଏପରି କଥା କହି ସାରା ସମାଜକୁ ବାର୍ତ୍ତା ଦେଇଛନ୍ତି ରାଉରକେଲାର ଏହି ଦୃଷ୍ଟିବାଧିତ ଦମ୍ବତ୍ତି । ନିଜ ଆଖିରେ ଜ୍ୟୋତି ନଥିଲେ କ’ଣ ହେଲା, ହଜାରହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରୁଛନ୍ତି ଏହି ଦମ୍ପତ୍ତି ।

ରାଉରକେଲା ସହରରେ ରୁହନ୍ତି ଦିବ୍ୟ ସୁନ୍ଦର ଓ ଅପରାଜିତା । ପିଲାବେଳୁ ହିଁ ଦୁହେଁ ଦୃଷ୍ଟିବାଧିତ । ଦୁହିଁଙ୍କ ହସଖୁସିର ପରିବାରକୁ ଦେଖିଲେ ଆପଣ ଜାଣିପାରିବେ ନାହିଁ ଯେ ସେମାନେ ଭିନ୍ନକ୍ଷମ । ସେମାନଙ୍କ ଖୁସିର ରହସ୍ୟ ହେଉଛି ସେମାନଙ୍କ ଦୃଢ ମନୋବଳ ଓ ଆତ୍ମବିଶ୍ୱାସ, ଯାହା ଆଜି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ପରିଚୟ ଦେଇଛି । ଦିବ୍ୟ ସୁନ୍ଦର ୫ ଭାଇ ଭଉଣୀଙ୍କ ମଧ୍ୟରେ ସାନ । ଦୃଷ୍ଟି ଶକ୍ତି ହରାଇଥିଲେ ବି ପରିବାରର ପୂର୍ଣ୍ଣ ସମର୍ଥନରେ ସ୍ୱତନ୍ତ୍ର ସ୍କୁଲରେ ପଢା ଶେଷ ପରେ ବିଜେବିରେ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍ ଶେଷ କରିଥିଲେ । ପରେ ବାଣୀ ବିହାରରୁ ସ୍ନାତକୋତ୍ତର ଓ ପରେ ଡିପ୍ଲୋମା ଇନ୍ ସ୍ପେଶାଲ ଏଜୁକେସନ୍ ଶେଷ କରିଥିଲେ । ଏହାପରେ ବିଇଡି କଲେ । କିଛି ଦିନ ପରେ ତାଙ୍କୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ମିଳିଲା । କେବଳ ଏତିକି ନୁହେଁ । ସେ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ । ଅନେକ ଭଜନ ଜଣାଣ ଗାଇ ମହାପ୍ରଭୁଙ୍କ ପାଖରେ ନିଜକୁ ସପର୍ପି ଦିଅନ୍ତିି । ସବୁବେଳେ ଧୈର୍ଯ୍ୟ , ସାହସ ଦେବାକୁ ନିବେଦନ କରିଥାନ୍ତି ।

ଦିବ୍ୟ ସୁନ୍ଦରଙ୍କ ପତ୍ନୀ ଅପରାଜିତା ମଧ୍ୟ ଜଣେ ଦୃଷ୍ଟିବାଧିତ । ହେଲେ ଜଣେ ଧୁରୀଣା ଅଧ୍ୟାପିକା । ଅନେକ ପ୍ରତିବନ୍ଧକ , ସାହିପଡିଶାଙ୍କ ଟାହିଟାପରା ଭିତରେ ବି ହରାଇ ନାହାଁନ୍ତି ମନୋବଳ । ରମାଦେବୀ ମହିଳା ମହାବିଦ୍ୟାଳରୁ ଗ୍ରାଜୁଏସନ୍ ଓ ବାଣୀବିହାର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି ଓ ବିଇଡି କରିବା ପରେ ଝିରପାଣି ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଲେ । ଏବେ ସୁଶୀଳାବତୀ ମହାବିଦ୍ୟାଳୟରେ ଅଧ୍ୟାପିକା । ଛାତ୍ରଛାତ୍ରୀଙ୍କର ସେ ଅତି ପ୍ରିୟ । ତାଙ୍କ କ୍ଲାସ ଥିଲେ ଅତି ଆଗ୍ରହରେ ତାଙ୍କୁ ବାଟ କଢାଇ ନେଇଯାନ୍ତି ଛାତ୍ରୀ ।

କେବଳ ଅଧ୍ୟାପିକା ଭାବେ ନୁହେଁ ଜଣେ ମା’ ଭାବେ ମଧ୍ୟ ସେ ବେଶ ଯତ୍ନଶୀଳା । ତେବେ ଦିବ୍ୟଶଙ୍କର ଓ ଅପରାଜିତାଙ୍କ ଦାମ୍ପତ୍ତ୍ୟ ଜୀବନ ମଧ୍ୟ ସମସ୍ତଙ୍କ ପାଇଁ ଏକ ଉଦାହରଣ । କୁନି ପୁଅକୁ ନେଇ ତାଙ୍କର ହସଖୁସିର ପରିବାର । ସେମାନେ ଦୃଷ୍ଟିହୀନ କେବେବି କୁନି ପୁଅକୁ ଅନୁଭବ କରିବାକୁ ଦେଇନାହାଁନ୍ତି ଦିବ୍ୟସୁନ୍ଦର ଓ ଅପରାଜିତା । ଏବେ ତାଙ୍କ ପାଖରେ ୨ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଶିକ୍ଷକ ଭାବେ ଭଲ ମଣିଷ ଗଢିବା ଓ ପୁଅକୁ ସମାଜରେ ଜଣେ ପ୍ରତିଷ୍ଠିତ କରାଇବା ।

ନିଜକୁ କୌଣସି ମୁହୁର୍ତ୍ତରେ ଅସହାୟ ବୋଲି ଭାବିନଥିବା ଏହି ଦୃଷ୍ଟିବାଧିତ ଦମ୍ପତ୍ତି ନିଜ ଆତ୍ମବିଶ୍ୱାସ ଓ ଚେଷ୍ଟାକୁ ପାଥେୟ କରି ଚାଲୁଛନ୍ତି ଜୀବନର ବାଟ । ଆଉ ସମସ୍ତଙ୍କୁ ଦେଉଛନ୍ତି ଏକ ସଫଳ ଜୀବନ ବଞ୍ଚିବାର ଆହ୍ୱାନ ।