ବିଶାଖାପାଟଣାରେ ଭୁଶୁଡିଲା ୩ ମହଲା ଘର, ଚାଲିଗଲା ୩ ଜୀବନ ।

168

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ଘର ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କ ଶବ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ସେହିଭଳି ଏଠାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ ଜାରିରହିଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୫ ବର୍ଷୀୟା ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଏହି ଘରେ ତାଙ୍କର ଜନ୍ମଦିନ ପାଳନ ହେଉଥିଲା । ତେବେ ସକାଳ ହେବା ପୂର୍ବରୁ ସେ ଦୁନିଆରୁ ବିଦାୟ ନେଇସାରିଥିଲେ । ଅଞ୍ଜଳି ସ୍ଥାନୀୟ ରାମକୃଷ୍ଣ ମିଶନ ସ୍କୁଲରେ ୧୦ମ ଶ୍ରେଣୀର ଛାତ୍ରୀ ଥିଲେ । ସେହିଭଳି ତାଙ୍କ ସହ ତାଙ୍କ ୧୭ ବର୍ଷୀୟ ଭାଇ ଦୁର୍ଗାପ୍ରସାଦର ଶବ ମଧ୍ୟ ଉଦ୍ଧାର କରାଯାଇଛି । ଏ ଘଟଣା ପରେ ପୂରା ପରିବାର ନଷ୍ଟ ହୋଇଯାଇଛି । କେବଳ ଚାରିପଟେ ଶୋକର ମାହୋଲ ଦେଖିବାକୁ ମିଳିଛି ।