ଓଡିଶାରେ ଆରମ୍ଭ ହେବ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା : ଦୂରରୁ ବିଶେଷଜ୍ଞ ଡାକ୍ତର ଦେବେ ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ; ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବାକୁ ପରାମର୍ଶ

127

କନକ ବ୍ୟୁରୋ : ଓଡିଶାର ୫ଟି ମହାନଗରରେ ସବୁଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରେ ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି । ଦୂରରୁ ବିଶେଷଜ୍ଞ ଡାକ୍ତର ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ ଦେବେ । ଏନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ଏଥିସହ ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବାକୁ ପରାମର୍ଶ ଦିଆଯାଇଛି । ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯିବ । ଦୂରରେ ରହି ବିଶେଷଜ୍ଞ ଡାକ୍ତର ଭିଡିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେବେ । ସବୁ ଗୁରୁତର କରୋନା ରୋଗୀଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଆଇସିୟୁ ନିର୍ଭରଶୀଳତାକୁ କମ କରିବା ପାଇଁ ‘ଷ୍ଟେପ ଡାଉନ’ ଆଇସିୟୁର ବ୍ୟବସ୍ଥା କରିବାକୁ ଏହି ଚିଠିରେ କୁହାଯାଇଛି । ଜଣେ ରୋଗୀ ଆଇସିୟୁରେ ଟିକିଏ ଠିକ ହେବା ପରେ ତାଙ୍କୁ ‘ଷ୍ଟେପ ଡାଉନ’ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ସ୍ତରର ଡାକ୍ତରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକରେ କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଦେଶନାମା ଜାରି କରି ରାଜ୍ୟ ସରକାର କହିଛନ୍ତି, ସବୁ ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ସାଧାରଣ ବେଡ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ । ଏହା ଛଡା ୮୦ ପ୍ରତିଶତ ଆଇସିୟୁ ବେଡ କେବଳ କରୋନା ରୋଗୀଙ୍କ ପାଇଁ ରହିବ । କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡ ଏବଂ ସାଧାରଣ ବେଡ ସହଜରେ ଉପଲବ୍ଧ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି । ଗତ ୮ ତାରିଖରେ ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଧ୍ୟ ଖାଲି ଥିବା ବେଡ ସଂଖ୍ୟା କମ ରହିଛି ।