କନକ ବ୍ୟୁରୋ: ସେହ୍ୱାଗଙ୍କୁ ଧକ୍କା ଦେଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ । ସାର୍ଟ କଲର ଧରିବା ସହିତ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଏହି ଦୁର୍ଦ୍ଦଶ ଓପନରଙ୍କୁ ଖରାପ ବ୍ୟବହାର କରିଥିଲେ । ଏନେଇ ଦୀର୍ଘ ବର୍ଷ ପରେ ଖୁଲାସା କରିଛନ୍ତି ନିଜେ ବୀରେନ୍ଦ୍ର ସେହ୍ୱାଗ ।

Advertisment

୨୦୦୦ ମସିହାରେ ଟିମ୍ ଇଣ୍ଡିଆର ପ୍ରଥମ ବିଦେଶୀ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ ଜନ୍ ରାଇଟ୍ । ତାଙ୍କ କୋଚିଂ ସମୟରେ ବି ଟିମ୍ ଇଣ୍ଡିଆ ସଫଳତାର ଶୀର୍ଷରେ ପହଞ୍ଚିଥିଲା । ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ କୋଲକାତା ଟେଷ୍ଟ ହେଉ ଅବା ଇଂଲଣ୍ଡ ବିପକ୍ଷ ନେଟୱେଷ୍ଟ ଟ୍ରଫି । ସବୁଥିରେ ଚମକ୍ରାର ପ୍ରଦର୍ଶନ କରିଥିଲା ସୌରଭ ଗାଙ୍ଗୁଲୀଙ୍କ ଦଳ । ଖାଲି ସେତିକି ନୁହେଁ, ୨୦୦୩ ବିଶ୍ୱକପର ଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଥିଲା ଭାରତ । ଆଉ ସେହି ସମୟରେ ଟିମ୍ ଇଣ୍ଡିଆର କୋଚ୍ ଥିଲେ ଜନ୍ ରାଇଟ୍ ।

ହେଲେ ଟିମ୍ ଇଣ୍ଡିଆକୁ ଏତେ ସାରା ସଫଳତା ଦେଇଥିବା କୋଚ୍, ଥରେ ବୀରେନ୍ଦ୍ର ସେହ୍ୱାଗଙ୍କ ସହିତ ଝଗଡା କରିଥିଲେ । ସେହ୍ୱାଗଙ୍କ କହିବା କଥା, କୋଚଙ୍କ ସହ ମୋର ହାତାହାତି ହେଇଥିଲା । ନେଟୱେଷ୍ଟ ସିରିଜ୍ ସମୟରେ ଜନ୍ ରାଇଟ୍ ତାଙ୍କ କଲର ଧରିବା ସହିତ ତାଙ୍କୁ ଧକ୍କା ଦେଇଥିଲେ ।

ତେବେ କୋଚ୍ ଧକ୍କା ଦେବା ପରେ ସେତେବେଳେ ଏନେଇ ରାଜୀବ ଶୁକ୍ଲାଙ୍କ ପାଖରେ ଫେରାଦ ହେଇଥିଲେ ସେହ୍ୱାଗ । ଯିଏକି ସେତେବେଳେ ଟିମ୍ ଇଣ୍ଡିଆର ମ୍ୟାନେଜର ଥିଲେ । ସେହ୍ୱାଗ ଜନ୍ ରାଇଟଙ୍କ ବିଷୟରେ ଟିମ୍ ମ୍ୟାନେଜର ରାଜୀବ ଶୁକ୍ଲାଙ୍କୁ କହିବା ପରେ, ଏହି କଥା ସୌରଭ ଗାଙ୍ଗୁଲୀଙ୍କ ପାଖକୁ ବି ଯାଇଥିଲା । ଆଉ ଶେଷରେ ଜନ୍ ରାଇଟ୍ ସେହ୍ୱାଗଙ୍କୁ ଭୁଲ ମାଗିଥିଲେ ।

କଂଗ୍ରେସ ନେତା ଶଶୀ ଥରୁରଙ୍କ ବୁକ୍ ଲଞ୍ଚ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେହ୍ୱାଗ । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେହ୍ୱାଗ ଏହି କଥାର ଖୁଲାସା କରିଛନ୍ତି । ସେ କହିିବା କଥା, ସେତେବେଳେ ଟିମରେ କିଏ ଓପନିଂ କରିବ, ସେନେଇ ଚିଟ୍ ପଡୁଥିଲା । ନଚେତ୍ ଯାହା ନାଁରେ ଅଧିକ ଭୋଟ୍ ପଡୁଥିଲା, ସେହି ଯୋଡି ଓପନିଂ କରୁଥିଲା । ୨୦୦୩ ବିଶ୍ୱକପରେ ମଧ୍ୟ ଏହି ଫର୍ମାଟ ସହିତ ସୌରଭ ଗାଙ୍ଗୁଲୀ ଓପନିଂରୁ ହଟିଥିଲେ ବୋଲି ସେହ୍ୱାଗ କହିଛନ୍ତି ।

ସେହ୍ୱାଗ ୨୦୦୩ ବିଶ୍ୱକପର ସ୍ମୃତିକୁ ମନେ ପକେଇ କହିଛନ୍ତି, ୨୦୦୩ ମସିହାରେ କେହି କେବେ ଭାବିନଥିଲେ ଆମେ ବିଶ୍ୱକପ୍ ଜିତିବୁ । ଯେଉଁ କାରଣରୁ ଆମେ ଭୟ ନକରି ନିଷ୍ପତ୍ତି ନେବା ଆରମ୍ଭ କରିଦେଇଥିଲୁ । ଯେଉଁ କାରଣରୁ ଭାରତ ୨୦୦୩ ବିଶ୍ୱକପର ଫାଇନାଲ ଖେଳିପାରିଥିଲା ବୋଲି ସେହ୍ୱାଗ କହିଛନ୍ତି ।