ବୀରେନ୍ଦ୍ର ସେହୱାଗଙ୍କ ବଡ ଭବିଷ୍ୟବାଣୀ । କହିଲେ, କେଉଁ ୨ଟି ଟିମ୍ ଖେଳିବେ ଫାଇନାଲ ଓ କିଏ ଜିତିବ ଟି-୨୦ ବିଶ୍ୱକପ ଟ୍ରଫି?

2,781

କନକ ବ୍ୟୁରୋ : ଟି-୨୦ ବିଶ୍ୱକପକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ବଡ ଭବିଷ୍ୟବାଣୀ । ସବୁବେଳେ ମ୍ୟାଚକୁ ନେଇ ରୋକଠୋକ କହୁଥିବା ସେହୱାଗ ଚଳିତ ବିଶ୍ୱକପରେ ଯେଉଁ ଟିମକୁ ଟାଇଟଲ ଫେଭରିଟ ବୋଲି କହିଛନ୍ତି ସେହି ଟିମ୍ ଏବେ ଦମଦାର ଫର୍ମରେ ରହିଛି । ଟି-୨୦ ବିଶ୍ୱକପର ପ୍ରତିଟି ମ୍ୟାଚ୍ ଉପରେ ନଜର ରଖିଛନ୍ତି ସେହୱାଗ । ଆଉ ସବୁଠୁ ବଡ କଥା ହେଲା, ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ ପରେ ଏହାର ପୋଷ୍ଟମର୍ଟମ କରନ୍ତି ନଜଫଗଡର ନୱାବ । ତେବେ ସୁପର-୧୨ ପର୍ଯ୍ୟାୟରେ ଆଉ ଅଳ୍ପ କେତୋଟି ମ୍ୟାଚ୍ ବାକିଥିବା ବେଳେ ସେମିଫାଇନାଲ ଚିତ୍ର ଏଯାବତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୁପର-୧୨ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ କେଉଁ ଟିମ୍ ସେମିଫାଇନାଲ ଖେଳିବ ଓ କିଏ ଚାମ୍ପିୟନ ହେବ ତାହାକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ସେହୱାଗ ।

ସୋସିଆଲ ମିଡ଼ିଆରେ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବୀରୁଗିରିରେ କ୍ରିକେଟ ପ୍ରଂଶସକଙ୍କ ପ୍ରଶ୍ନର ଉତ୍ତର କିଛି ଏମିତି ରଖିଛନ୍ତି ସେହୱାଗ । ସେ କହିଛନ୍ତି, ମୋତେ ଲାଗୁଛି ପାକିସ୍ତାନ ଓ ଇଂଲଣ୍ଡ ଟାଇଟଲ ପାଇଁ ମୁହାଁମୁହିଁ ହେବେ । ଆଉ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ମାତ୍ ଦେଇ ଟି-୨୦ ଚାମ୍ପିୟନ ହୋଇପାର ଇଂଲଣ୍ଡ ।

ସେହୱାଗଙ୍କ ଏଭଳି ଆକଳନକୁ ନେଇ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ମଧ୍ୟ ନାହିଁ । କାରଣ ଚଳିତ ଟି-୨୦ ବିଶ୍ୱକପରେ ଦମଦାର ଫର୍ମରେ ରହିଛି ଇଂଲଣ୍ଡ ଟିମ୍ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡି ପ୍ରତିଟି କ୍ଷେତ୍ରରେ ଇଂଲଣ୍ଡ ଖେଳାଳୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି । ଖାସକରି ଚଳିତ ବିଶ୍ୱକପରେ ବଟଲର ଚମକ୍ରାର ଫର୍ମରେ ରହିଛନ୍ତି । ଯାହାର ଫଳାଫଳ ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି । ଗ୍ରୁପ ପର୍ଯ୍ୟାୟରେ ଏବେ ସୁଦ୍ଧା ଇଂଲଣ୍ଡ ୪ଟିରୁ ୪ଟି ମ୍ୟାଚରେ ବିଜୟୀ ହେବା ସହ ଗ୍ରୁପର ଶୀର୍ଷରେ ରହିଛି । ଆଉ ଏହାସହ ସେମିଫାଇନାଲ ଟିକେଟ ହାତେଇଛି । ତେଣୁ ଇଂଲଣ୍ଡ ଟିମକୁ ଟାଇଟଲ ରେସରେ ଆଗରେ ରଖିଛନ୍ତି ସେହୱାଗ ।

ଅନ୍ୟପଟେ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟାଇଟଲ ରେସରେ ଇଂଲଣ୍ଡକୁ ଆଗରେ ରଖିଥିଲେ ପୂର୍ବତନ ଅଷ୍ଟ୍ରେଲୀୟ ବୋଲର ସେନ ୱାନ୍ । ଆଉ ୱାର୍ଣ୍ଣଙ୍କ ଏହି ଆକଳନକୁ ଏଯାଏଁ ସଠିକ ପ୍ରମାଣିତ କରିଆସିଛି ଇଂଲଣ୍ଡ । ଅନ୍ୟପଟେ ସେମିଫାଇନାଲ ଟିକେଟ ପାଇଁ ଏବେ ବି ଆଶା ବାନ୍ଧି ବସିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ପରାଜିତ ହେଲେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଖୋଲିଯିବ । ତେଣୁ ଏବେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ୍ ଉପରେ ଟିମ୍ ଇଣ୍ଡିଆର ନଜର ରହିବ ।