କନକ ବ୍ୟୁରୋ : ଏସିଆ କପର ସୁପର-୪ ମୁକାବିଲାରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ । ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ଅତ୍ୟନ୍ତ ଜରୁରୀ । କାରଣ ମ୍ୟାଚ୍ ହାରିଲେ ଟୁର୍ଣ୍ଣାମେଣ୍ଟରୁ ଏକପ୍ରକାର ବାଦ୍ ପଡିବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ବଡ ଭବିଷ୍ୟବାଣୀ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ।

Advertisment

ବୀରେନ୍ଦ୍ର ସେହୱାଗ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ଭାରତ ଗୋଟିଏ ବି ମ୍ୟାଚ୍ ହାରେ ତେବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ଅନ୍ୟପଟେ ପଏଣ୍ଟ ଟେବୁଲରେ ଏବେ ପାକିସ୍ତାନ ଫାଇଦାରେ ରହିଛି । ଉନ୍ନତ ରନରେଟ କାରଣରୁ ପାକିସ୍ତାନ ଭଲ ସ୍ଥିତିରେ ରହିଛି । ଏଭଳି ସ୍ଥିତିରେ ଭାରତ ଉପରେ ବିଜୟ ପାଇଁ ଚାପ ରହିବ । ଅନ୍ୟପଟେ ପାକିସ୍ତାନ ଗୋଟିଏ ମ୍ୟାଚ୍ ଜିତିଲେ ଫାଇନାଲ ପାଇଁ ଟିକେଟ ହାତେଇବ । ତେବେ ଚଳିତ ଏସିଆ କପ୍ ପାକିସ୍ତାନର ବର୍ଷ ହୋଇପାରେ ।

ଯଦି ଏପରି ହୁଏ ତେବେ ଦୀର୍ଘ ବର୍ଷ ପରେ ପୁଣିଥରେ ଫାଇନାଲ ଟିକେଟ ହାସଲ କରିବ ପାକିସ୍ତାନ । ଶେଷଥର ପାଇଁ ୨୦୧୪ରେ ପାକିସ୍ତାନ ଏସିଆ କପ୍ ଫାଇନାଲ ଖେଳିଥିଲା । ସେତେବେଳେ ଶ୍ରୀଲଙ୍କା ଠାରୁ ୫ ୱିକେଟରେ ମାତ୍ ଖାଇଥିଲା ପାକିସ୍ତାନ । ତେବେ ଚଳିତ ଏସିଆ କପରେ ଦମଦାର ଫର୍ମରେ ଅଛି ପାକିସ୍ତାନ । ପ୍ରଥମ ମ୍ୟାଚରେ ଭାରତ ଠାରୁ ପରାଜିତ ହେବା ପରେ ଦ୍ୱିତୀୟ ମ୍ୟାଚରେ ହଂକଂ ବିପକ୍ଷରେ ବଡ ବ୍ୟବଧାନରେ ଜିତିଥିଲା ପାକିସ୍ତାନ । ତେବେ ସୁପର-୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଭାରତ ବିପକ୍ଷରେ ଦମଦାର ବିଜୟ ହାସଲ କରି ଫାଇନାଲ ରେସରେ ନିଜକୁ ସାମିଲ କରିଛି ପାକିସ୍ତାନ ।

ଏସବୁ ଭିତରେ ଏସିଆ କପରେ ଭାରତ ସର୍ବାଧିକ ୭ ଥର ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ମାତ୍ର ୨ ଥର ବିଜୟୀ ହୋଇଛି । ତେଣୁ ଚଳିତଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ପାକିସ୍ତାନ ଟିମ୍ ।