କନକ ବ୍ୟୁରୋ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପୋଷ୍ଟ ଏବେ ଫାଙ୍କା ପଡିଛି । ଗତ ଫେବ୍ରୁଆରୀ ମାସରେ ଏକ ଷ୍ଟିଙ୍ଗ୍ ଅପରେସନର ଭିଡିଓ ସାମ୍ନାକୁ ଆସିବା ପରେ, ବିବାଦୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ ସେତେବେଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ସେବେଠୁ ଶିବସୁନ୍ଦର ଦାସ କାର୍ଯ୍ୟକାରୀ ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରୁଛନ୍ତି । ଆଉ ଏପରି ସ୍ଥିତିରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନୂଆ ମୁଖ୍ୟ ଚୟନକର୍ତ୍ତା ସନ୍ଧାନରେ ରହିଛି । ତେବେ ଏହାରି ଭିତରେ ଟିମ୍ ଇଣ୍ଡିଆର ଧୂଆଁଧାର ଓପନର ବୀରେନ୍ଦ୍ର ସେହ୍ୱାଗ ମୁଖ୍ୟ ଚୟନକର୍ତ୍ତା ରେସରେ ଥିବା ଜଣାପଡିଛି ।

Advertisment

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ବିସିସିଆଇ ଟିମ୍ ଇଣ୍ଡିଆର ଏହି ପୂର୍ବ କ୍ରିକେଟରଙ୍କ ସହିତ ଆଲୋଚନା କରିଛି । ତେଣୁ ସେହ୍ୱାଗ ଖୁବଶୀଘ୍ର ଚୟନକର୍ତ୍ତା ପୋଷ୍ଟ ପାଇଁ ଆବେଦନ କରିପାରନ୍ତି । ହେଲେ ସେହ୍ୱାଗ କିନ୍ତୁ ଏହି କଥାକୁ ମିଛ ବୋଲି କହିଛନ୍ତି । ସେହ୍ୱାଗଙ୍କ କହିବା କଥା, ବିସିସିଆଇ ତରଫରୁ ତାଙ୍କୁ କୌଣସି ପ୍ରକାର କଥା କୁହାଯାଇନି । ଏହି ଖବରରେ କୌଣସି ସତ୍ୟତା ନାହିଁ ।

ସୂଚନାଯୋଗ୍ୟ ଯେ, ବିସିସିଆଇ ଉତ୍ତର କ୍ଷେତ୍ରରୁ ଟିମ୍ ଇଣ୍ଡିଆ ସିଲେକ୍ଟର ପଦ ପାଇଁ ଆବେଦନ ଆମନ୍ତ୍ରିତ କରିଛି । ଏହି କ୍ଷେତ୍ରରେ ଟିମ୍ ଇଣ୍ଡିଆର କୌଣସି ପୂର୍ବ ଖେଳାଳି ସିଲେକ୍ଟର ହେବେ । ତେବେ ଉକ୍ତ ସିଲେକ୍ଟର ଜଣକ ମୁଖ୍ୟ ଚୟନକର୍ତ୍ତା ହେବାର ମଧ୍ୟ ବହୁ ସମ୍ଭାବନା ରହିଛି । ଏପରି ସ୍ଥଳେ ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର, ଯୁବରାଜ ସିଂହ ଏବଂ ହରଭଜନ ସିଂଙ୍କ ଭଳି ଖେଳାଳି ଉତ୍ତର କ୍ଷେତ୍ରରୁ ଆସୁଛନ୍ତି । ସେମାନଙ୍କ ଭିତରୁ କେବଳ ବୀରେନ୍ଦ୍ର ସେହ୍ୱାଗ ସିଲେକ୍ଟର ହେବାକୁ ଯୋଗ୍ୟ ଅଟନ୍ତି । ତେଣୁ ସେହ୍ୱାଗ ବିସିସିଆଇର ଆଗାମୀ ମୁଖ୍ୟ ଚୟନକର୍ତ୍ତା ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ ଯୋଗ୍ୟତା

  • କୌଣସି ବି ଖେଳାଳି ୭ କିମ୍ବା ତାଠୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବେ
  • ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବେ
  • ୧୦ ଦିନିକିଆ କିମ୍ବା ୨୦ ଲିଷ୍ଟ ଏ ମ୍ୟାଚ୍ ଖେଳିଥିବେ
  • ୫ ବର୍ଷ ପୂର୍ବେ କ୍ରିକେଟରୁ ଅବସର ଗ୍ରହଣ କରିଥିବେ
  • ବିସିସିଆଇର କୌଣସି କମିଟି କିମ୍ବା ସଦସ୍ୟ ନଥିବେ
  • ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସେବା ଦେବାକୁ ଯୋଗ୍ୟ ଥିବେ

ଜାଣିରଖିବା ଉଚିତ୍ ଯେ, ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦରମା ମିଳିଥାଏ । ଏହାବାଦ୍ ବାକି ସଦସ୍ୟଙ୍କୁ ବାର୍ଷିକ ୯୦ ଲକ୍ଷ ଟଙ୍କା ମିଳିଥାଏ । ତେଣୁ ସେହ୍ୱାଗ ମୁଖ୍ୟ ଚୟନକର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ବର୍ତ୍ତମାନ ସେ କ୍ରିକେଟ୍ ଭାଷ୍ୟକାର ଭାବେ କାମ କରୁଛନ୍ତି ।