ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆ କ୍ରିକେଟରେ ସଫଳତା । ଡେବ୍ୟୁ ମ୍ୟାଚରେ ୭ ନମ୍ବରରେ ଆସୁଥିଲେ ବ୍ୟାଟିଂ । ପରେ ହୋଇଗଲେ ଭାରତର ଓପନର ବ୍ୟାଟ୍ସମ୍ୟାନ ।

252

କନକ ବ୍ୟୁରୋ : ବୀରେନ୍ଦ୍ର ସେହୱାଗ । କ୍ରିକେଟ ଜଗତର ବେତାଜ ବାଦଶାହ । ନିଜ ଖେଳରେ ସମସ୍ତଙ୍କ ମନ ଜିତିଛନ୍ତି ଏହି ଭାରତୀୟ କ୍ରିକେଟର । ଆମେ ଆଜି କହିବୁ ଏହି ଭାରତୀୟ କ୍ରିକେଟରଙ୍କ ଦିନିକିଆ କ୍ରିକେଟର ଇତିହାସ କଥା । ଜାନୁଆରୀ ୩ ତାରିଖ ୨୦୧୩ ମସିହାରେ ବିରେନ୍ଦ୍ର ସେହୱାଗ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ । ଆଉ ସେ ପୁଣି ପାକିସ୍ତାନ ବିପକ୍ଷରେ । ସବୁଠାରୁ ବଡ କଥା ହେଉଛି ସେହୱାଗ ତାଙ୍କ ଦିନିକିଆ ଡେବ୍ୟୁ ପାକିସ୍ତାନ ବିପକ୍ଷରେ କରିଥିଲେ । ଆଉ ଶେଷ ଦିନିକିଆ ମଧ୍ୟ ସେହି ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ନିଜ ପ୍ରଥମ ମ୍ୟାଚରେ ସେହୱାଗ ୭ ନମ୍ବରରେ ବ୍ୟାଟିଂ କରିଥିଲେ ଆଉ ଶେଷ ଦିନିକିଆରେ ଦଳ ପାଇଁ ଓପନିଂ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ୭ ନମ୍ବରରୁ ୧ ନମ୍ବର ଯାଏଁ ଆସିବାର ଯାତ୍ରା କେମିତି ଥିଲା ।

ଅନ୍ତର୍ଜାତୀୟ କ୍ରିକେଟରେ ସେହୱାଗଙ୍କ ଚୟନ ହେବା ପରେ ତାଙ୍କୁ ମିଡିଲ ଅର୍ଡରରେ ବ୍ୟାଟିଂ ଛଡା ଯାଇଥିଲା । ପ୍ରଥମ ଦିନିକିଆରେ ସେହୱାଗ ୭ ନମ୍ବରରେ ବ୍ୟାଟିଂ ଆସିଥିଲେ । ଏହି ମ୍ୟାଚରେ ସେହୱାଗ ମାତ୍ର ଏକ ରନ କରିଥିଲେ । ଆରମ୍ଭର ୧୩ଟି ମ୍ୟାଚରୁ ୧୧ଟି ମ୍ୟାଚରେ ସେହୱାଗ ମିଡିଲ ଅର୍ଡରରେ ବ୍ୟାଟିଂ କରିଥିଲେ । ହେଲେ ପରେ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲି ଏକ ବଡ ନିଷ୍ପତ୍ତି ନେଇଥିଲେ । ଆଉ ସେହୱାଗଙ୍କୁ ଓପନିଂ ପାଇଁ ଛାଡିଥିଲେ ।

ସ୍ଥାନ ଥିଲା କଲମ୍ବୋ । ମ୍ୟାଚ ଥିଲା ଭାରତ ବନାମ ନ୍ୟୁଜିଲାଣ୍ଡ । ପ୍ରଥମଥର ପାଇଁ ଏହି ମ୍ୟାଚରେ ଓପନିଂ କରିଥିଲେ ସେହୱାଗ । ଏହି ମ୍ୟାଚରେ ସେହୱାଗ ମାତ୍ର ୩୩ ରନ କରିଥିଲେ । ୧୪ଟି ମ୍ୟାଚ ଖେଳିବା ପରେ ୨୦୦୧ ଏପ୍ରିଲ ୧ ତାରିଖରେ ସେହି କଲୋମ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଓପନିଂ କରିଥିଲେ । ଆଉ ସେଦିନ ଗର୍ଜନ କରିଥିଲା ସେହୱାଗଙ୍କ ବ୍ୟାଟ । ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ବ୍ୟାଟିଂରେ ତାଙ୍କର ଦୁର୍ଦ୍ଦଶ ରୂପ । କଲମ୍ବୋରେ ଛକା ଚୌକାର ବର୍ଷା କରିଥିଲେ ସେହୱାଗ । ଏହି ମ୍ୟାଚରେ ୭୦ଟି ବଲରେ ସେ କରିଥିଲେ ୧୦୦ ରନ । ଆଉ ଏହା ଥିଲା ତାଙ୍କ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ । ଯାହାକି ତାଙ୍କୁ ଦେଇଥିଲା ବଡ ବ୍ରେକ ।

ନିଜ କ୍ୟାରିୟରର ୨୫୧ଟି ମ୍ୟାଚ ମଧ୍ୟରୁ ୨୪୦ଟି ମ୍ୟାଚରେ ସେହୱାଗ ଓପନିଂ କରିଥିଲେ, ଆଉ ୧୧ଟି ମ୍ୟାଚରେ ତାଙ୍କୁ ମିଡିଲ ଅର୍ଡରରେ ଦେଖିବକୁ ମିଳିଥିଲା । ସେହୱାଗ ତାଙ୍କର ଏହି କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ବିରାଟ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଯାହାକି ଆଜି ଯାଏଁ ଅଭଙ୍ଗା ହୋଇକି ରହିଛି ।

ସେହୱାଗ ଦିନିକିଆରେ ମୋଟ ୨୫୧ଟି ମ୍ୟାଚ ଖେଳି ୮ ହଜାର ୨୭୩ ରନ କରିଛନ୍ତି । ଏଥିରେ ୧୫ଟି ଶତକ ଓ ୩୮ଟି ଅର୍ଦ୍ଦଶତକ ମଧ୍ୟ ରହିଛି । ଏହାସହ ସେହୱାଗ ଗୋଟିଏ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେହୱାଗ ୨୧୯ ରନ କରି ଏହି ରେକର୍ଡ ସୃଷ୍ଟି କରିଥିଲେ ।

କେବଳ ଦିନିକିଆ ନୁହେଁ ଟେଷ୍ଟ ହେଉ କି ଟ୍ୱି-୨୦ ସବୁଥିରେ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି ସେହୱାଗ । ପ୍ରଥମ ଭାରତୀୟ ଭାବେ ସେହୱାଗ ଟେଷ୍ଟ କ୍ରିକେଟ ତ୍ରିପଲ ସେଞ୍ଜୁରୀ ମଧ୍ୟ ହାସଲ କରିଛନ୍ତି । ଏହାସହ ଟେଷ୍ଟରେ ୬ ଥର ଦ୍ୱିଶତକ ଓ ୨୩ ଥର ଶତକ ହାସଲ କରିଛନ୍ତି । ପଡିଆରେ ଆକର୍ଷଣୀୟ ସଟ ଖେଳି ଫ୍ୟାନମାନଙ୍କୁ ହୃଦୟ ଜିତିଥିଲେ ଏହି ଖେଳାଳି । ୨୦୧୫ ଅକ୍ଟୋବର ୨୦ ତାରିଖରେ ସେହୱାଗ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ । ହେଲେ କ୍ରିକେଟରେ ତାଙ୍କ ରେକର୍ଡ ଏବେ ବି ଅଭୁଲା ରହିଛି ।