କନକ ବ୍ୟୁରୋ : ଆଇପିଏଲ ପ୍ଲେ ଅଫ୍ ରୁ ବିଦାୟ ଲୋ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ କୋହିଲଙ୍କ ନେତୃତ୍ୱାଧୀନ ରୟାଲ ଚାଲେଂଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରି ସନରାଇଜର୍ସ ହାଇଦ୍ରାବାଦ , ବିରାଟ ବାହିନୀକୁ ବାହାର ରାସ୍ତା ଦେଖାଇ ଦେଇଛି । ଏହି ପରାଜୟ ସହିତ ବେଙ୍ଗାଲୁରୁର ଚଳିତ ବର୍ଷର ଆଇପିଏଲ ଟ୍ରଫି ସ୍ୱପ୍ନ ମଉଳି ଯାଇଛି ।
ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ କରିଥିଲା ମାତ୍ର ୧୩୧ ରନ୍ । ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ୬ ରନ କରି ପ୍ୟାଭିଲିୟନ ଫେରିଥିଲେ । ଦଳ ପକ୍ଷରୁ ଏବି ଡିଭିଲୟର୍ସ ୫୬ ଓ ଆରୋନ ଫିନଚ ୩୨ ରନ ସ୍କୋର କରିଥିଲେ । ଏହି ଛୋଟିଆ ସ୍କୋରକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ୍ ସଂଘର୍ଷ କରିଥିଲା । ଦଳ ଆରମ୍ଭରୁ ୪ ପ୍ରମୁଖ ଖେଳାଳିଙ୍କୁ ହରାଇ ଅଡୁଆରେ ପଡିଢିଲା । କିନ୍ତୁ କେନ୍ ୱିଲିୟମସନ ଅପରାଜିତ ଅର୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଦେଇଥିଲେ । ୧୩୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ମାତ୍ର ୪ ୱିକେଟ ହରାଇ ଶେଷ ଓଭରରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା ।
ଆସନ୍ତାକାଲି ଏଲିମିନେଟର ୨ ମ୍ୟାଚ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମ୍ୟାଚର ବିଜୟୀ ଦଳ , ଫାଇନାଲରେ ମୁମ୍ୱାଇ ଇଣ୍ଡିଆନ୍ସକୁ ୧୦ ତାରିଖରେ ଭେଟିବ । ତେଣୁ ରବିବାର ଆଉ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ ।