କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ସେମିଫାଇନାଲ ଆଶା ଧୀରେ ଧୀରେ ମଉଳୁଛି । କାରଣ ଭାରତ ଏବେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ତେବେ ଲଗାତାର ୨ଟି ପରାଜୟ ପରେ ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ ହକଙ୍କ ବଡ ବୟାନ ଏବେ ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ କୋହଲିଙ୍କ ପରିବାରକୁ ଧମକ ମିଳୁଥିବା କହିଛନ୍ତି ଇଞ୍ଜାମାମ୍ ଉଲ୍ ହକ୍ । ଏନେଇ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଇଞ୍ଜାମାମ ।

Advertisment

ଇଞ୍ଜାମାମ୍ ଉଲ ହକ କହିଛନ୍ତି, କ୍ରିକେଟ ଖେଳରେ ହାର ଓ ଜିତ୍ ଲାଗି ରହିଥାଏ । କିନ୍ତୁ ମୁଁ ଟିଭି ସାକ୍ଷାତକାରରେ ବସିଥିବା ବେଳେ ଖବର ଆସିଲା କୋହଲିଙ୍କ ପରିବାରକୁ ଧମକ ମିଳିଛି । ବିରାଟଙ୍କ ବ୍ୟାଟିଂ ଓ ଅଧିନାୟତ୍ୱ ଯଦି ପସନ୍ଦ ଆସୁନାହିଁ ତେବେ ତାହା ଉପରେ କହିପାରିବେ କିନ୍ତୁ ପରିବାରକୁ ଟାର୍ଗେଟ କରିବା ଆଦୌ ଠିକ୍ ନୁହେଁ । କିଛି ଦିନ ପୂର୍ବେ ସାମିଙ୍କ ସହ ସେଭଳି କିଛି ହୋଇଥିଲା । କ୍ରିକେଟ ଭଳି ଖେଳରେ କେତେବେଳେ ଖେଳାଳୀ ଭଲ ପ୍ରଦର୍ଶନ କରିଥାନ୍ତି ତ ପୁଣି କେତେବେଳେ ଖରାପ ପ୍ରଦର୍ଶନ କରିଥାନ୍ତି । ତେବେ ଏହାକୁ ଖେଳ ମଧ୍ୟରେ ସୀମିତ ରଖିଲେ ଭଲ । ଏହାକୁ ଆଗକୁ ନ ବଢାଇବା, ପରିବାରକୁ ଏହା ମଧ୍ୟକୁ ନ ଟାଣିବା ଭଲ । ଏଭଳି ଘଟଣା ମୋତେ ବହୁତ ଦୁଃଖ ଦେଉଛି, ଏଭଳି ହେବା ଠିକ୍ ନୁହେଁ । ଭାରତର ବ୍ୟାଟିଂ, ବୋଲିଂ ଓ ଟିମ୍ ଚୟନକୁ ନେଇ ଆଲୋଚନା କରିପାରନ୍ତି କ୍ରିକେଟପ୍ରେମୀ, କିନ୍ତୁ ପରିବାରକୁ ନେଇ ନୁହେଁ । ପରାଜୟକୁ ସହଜରେ ଗ୍ରହଣ କରିବା ଉଚିତ୍ ।

ଚଳିତ ଟି-୨୦ ବିଶ୍ୱକପରେ ଭାରତ ୨ଟି ମ୍ୟାଚ୍ ଖେଳିଥିବା ବେଳେ ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଯାହାଦ୍ୱାରା ଭାରତ ଏବେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।