କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ହିଁ ସଚିନଙ୍କ ଦିନିକିଆ ଶତକ ରେକର୍ଡ ଭାଙ୍ଗିବେ ବିରାଟ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକରୁ ମାତ୍ର ୫ ରନରୁ ବଞ୍ଚିତ ହୋଇଥିବା ବିରାଟ ଖୁବଶୀଘ୍ର ନିଜର ୫୦ତମ ଶତକ ପୂରା କରିବେ । ଏନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର । ଆସନ୍ତା ୫ ନଭେମ୍ବରରେ କୋହଲି ଦିନିକିଆରେ ୫୦ତମ ଶତକ ହାସଲ କରିବେ ବୋଲି କହିଛନ୍ତି ସୁନୀଲ । ଦିନିକିଆରେ ୫୦ତମ ଶତକ ହାସଲ କଲେ ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି ।

Kanak News is now on WhatsApp
Join and get latest news updates delivered to you via WhatsApp
ସୁନୀଲ କହିଛନ୍ତି, ବିରାଟ କୋହଲି ନିଜର ୫୦ତମ ଦିନିକିଆ ଶତକ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହାସଲ କରିବେ । ନିଜ ଜନ୍ମଦିନରେ କୋହଲି ଏମିତି ଏକ ରେକର୍ଡ ହାସଲ କରିବା ଠାରୁ ଭଲ ବା କଣ ହୋଇପାରେ । କିଛି ଏଭଳି ହେବ ବୋଲି ମୋତେ ଲାଗୁଛି । ଯେତେବେଳେ ଆପଣ ଇଡେନ ଗାର୍ଡେନରେ କୋହଲି ଶତକ ହାସଲ କରିବେ ସେତେବେଳେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବ । ଫ୍ୟାନ୍ସ ମାନେ ଚିୟରଅପ କରିବେ । ଜନ୍ମଦିନରେ ଜଣେ ଖେଳାଳୀଙ୍କ ପାଇଁ ଏହାଠାରୁ ଭଲ ସୁଯୋଗ କଣ ବା ହୋଇପାରେ?
ଜନ୍ମଦିନରେ ୫୦ତମ ଦିନିକିଆ ଶତକ ହାସଲ କଲେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବ । ଏବେ କୋହଲି ୪୮ଟି ଶତକ ହାସଲ କରିଛନ୍ତି । ସଚିନଙ୍କ ରେକର୍ଡର ସମକକ୍ଷ ହେବାକୁ କୋହଲିଙ୍କୁ ଗୋଟିଏ ଶତକ ଆବଶ୍ୟକ ଥିବା ବେଳେ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ୨ଟି ଶତକର ଆବଶ୍ୟକତା ରହିଛି । ସୁନୀଲଙ୍କ ଭବିଷ୍ୟବାଣୀ ଅନୁଯାୟୀ, ବିରାଟ କୋହଲି ଆଗାମୀ ୩ଟି ମ୍ୟାଚରୁ ୨ଟି ଶତକ ହାସଲ କରିବେ । କେବଳ ଦିନିକିଆରେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କ ନିକଟରେ ସୁଯୋଗ ରହିଛି । କାରଣ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସଚିନ ୧୦୦ ଶତକ ହାସଲ କରିଛନ୍ତି । ଯେଉଁ ରେକର୍ଡ ଠାରୁ ବହୁତ ପଛରେ ଅଛନ୍ତି କୋହଲି ।
ଚଳିତ ବିଶ୍ୱକପରେ କୋହଲି ଦମଦାର ଫର୍ମରେ ରହିଛନ୍ତି । ୫ଟି ମ୍ୟାଚରୁ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ବଳରେ କୋହଲି ୩୫୪ ରନ୍ କରିଛନ୍ତି । ଚଳିତ ବିଶ୍ୱକପରେ କୋହଲି ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଆସନ୍ତା ୨୯ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୋହଲିଙ୍କ ବ୍ୟାଟରୁ ପୁଣିଥରେ ବଡ ସ୍କୋର ଦେଖିବାକୁ ଆଶାବାଦୀ ଅଛନ୍ତି କ୍ରିକେଟପ୍ରେମୀ । ୨ରେ ଶ୍ରୀଲଙ୍କା ଓ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜ ଦିନିକିଆ କ୍ୟାରିୟରରେ ୫୦ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିବେ ବୋଲି ଭବିଷ୍ୟବାଣୀ କରିଛନ୍ତି ସୁନୀଲ ଗାଭାସ୍କର ।