କନକ ବ୍ୟୁରୋ : ବିରାଟ କୋହଲି ଖେଳିପାରନ୍ତି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ । ସେ ତାଙ୍କ ପ୍ଲାନରେ ପରିବର୍ତନ କରିଥିବା କୁହାଯାଉଛି । ଝିଅର ଜନ୍ମ ଦିନ ପାଇଁ ପରିବାର ସହ ସମୟ ବିତାଇବା ପାଇଁ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୋଲି ବିରାଟ ବିସିସିଆଇକୁ ଜଣାଇଥିବା ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ଆହତ ଯୋଗୁ ରୋହିତ୍ ଶର୍ମା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ତେଣୁ ଉଭୟଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏକାଠି ଖେଳୁଥିବାର ଦେଖିବାକୁ ମିଳିବ ନାହିଁ ବୋଲି କୁହାଯାଉଥିଲା ।  ବିରାଟ ଦିନିକିଆ ସିରିଜ୍ ନଖେଳିବା ଖବର ଆସିବା ପରେ ଦୁଇ ଅଧିନାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଥିଲା ।

Advertisment

ଏବେ କୋହଲି ଦିନିକିଆ ସିରିଜ୍ ଖେଳି ଟିମରେ ସବୁ ଠିକ୍ଠାକ୍ ଚାଲିଛି ବୋଲି ସଂକେତ ଦେବାକୁ ଚାହୁଁଛନ୍ତି । ଆଜି କୋହଲି ସାମ୍ବାଦିକ ସମ୍ମିଳନୀ କରି ଦିନିକିଆ ସିରିଜ୍ ଖେଳିବା ନେଇ କହିପାରନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଏହି ବିବାଦ ଭିତରେ ମୁହଁ ଖୋଲିଛନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, କ୍ରୀଡା ଠାରୁ ବଡ କୌଣସି ବ୍ୟକ୍ତି ନୁହଁନ୍ତି । କେଉଁ ଖେଳାଳୀଙ୍କ ଭିତରେ କଣ ଚାଲିଛି ସେବାବଦରେ ମୁଁ କହିପାରିବିନି । ସେମାନଙ୍କ ସହ ଜଡିତ ଆସୋସିଏସନ ଓ ସଂସ୍ଥା ଏଥିପାଇଁ ଆଗକୁ ଆସି ମୁହଁ ଖୋଲିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ଅନୁରାଗ ଠାକୁର ବିସିସିଆଇର ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି ।