ବଦଳିବ ବିରାଟଙ୍କ ବ୍ୟାଟିଂ ଅର୍ଡର? ହେଲେ କାହିିଁକି…୩ ନମ୍ବର ସ୍ଥାନରେ କାହାକୁ ସୁଯୋଗ ଦେବେ କ୍ୟାପଟେନ କୋହଲି ।

875

ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ବିରାଟ ବାହିନୀ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପ୍ରାରମ୍ଭିକ ଯୋଡିକୁ ନେଇ ବଡ ବୟାନ ଦେଇଛନ୍ତି କ୍ୟାପଟେନ କୋହଲି । ପ୍ରାରମ୍ଭିକ ଯୋଡି ଭାବେ ଦଳ କାହାକୁ ମୈଦାନକୁ ଓହ୍ଲାଇବ ତାହାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛି । କାରଣ ରୋହିତ ଶର୍ମା ଦଳକୁ ଫେରିଥିବା ବେଳେ କେଏଲ ରାହୁଲ ଓ ଶିଖର ଧୱନ ଦମଦାର ଫର୍ମରେ ରହିଛନ୍ତି । ତେଣୁ ଏହି ଦୁଇ ପ୍ଲେୟାରଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ ତାହା ସବୁଠୁ ବଡ ପ୍ରଶ୍ନ ।

ଟିମ୍ ମ୍ୟାନେଜମେଣ୍ଟ ରାହୁଲ ଓ ଧୱନଙ୍କୁ ନେଇ ଚିନ୍ତାରେ ଥିବା ବେଳେ କୋହଲି କିନ୍ତୁ ବଡ ସଂକେତ ଦେଇଛନ୍ତି । ରୋହିତଙ୍କ ସହ ରାହୁଲ ଓ ଧୱନଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ବୋଲି କହିଛନ୍ତି କୋହଲି । ଆଉ ଯଦି ଏଭଳି ହୁଏ ତେବେ କୋହଲି ନିଜର ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରିପାରନ୍ତି । ଉପ-ଅଧିନାୟକ ରୋହିତ ଶର୍ମା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ରାହୁଲ ଓ ଧୱନଙ୍କୁ ବେଞ୍ଚର ବସାଇବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଅଧିନାୟକ କୋହଲି ।

ଖେଳାଳି ଫର୍ମରେ ରହିଲେ ଏହା ଟିମ୍ ପାଇଁ ଲାଭଦାୟକ । ସବୁ ଟିମ୍ ଚାହେଁ ୧୫ ଜଣିଆ ଦଳରେ ସବୁ ଖେଳାଳି ଫର୍ମରେ ରୁହନ୍ତୁ ଓ ସେମାନଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶ ଚୟନ କରାଯାଉ । ମ୍ୟାଚ୍ ଓ ପିଚର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚୂଡାନ୍ତ ଏକାଦଶ ଚୟନ କରାଯାଇଥାଏ । ତେବେ ଯଦି ୩ ପ୍ଲେୟାରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳେ ତେବେ ଏହା ମୋ ପାଇଁ ବହୁତ ଖୁସିର କଥା ହେବ । ଏପରିକି ବ୍ୟାଟିଂ ଅର୍ଡରକୁ ନେଇ ସେଭଳି ବିଶେଷ ସମସ୍ୟା ଉପୁଜିବନି ବୋଲି କହିଛନ୍ତି କୋହଲି ।

ବ୍ୟକ୍ତିଗତ ସଫଳତା ଅପେକ୍ଷା ଦଳୀୟ ସଫଳତା ମୋ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଟିମର ଅଧିନାୟକ ଭାବେ ଆଗାମୀ ପିଢିକୁ ପ୍ରସ୍ତୁତ କରିବା ମୋର ଦାୟିତ୍ୱ । ଯାହାଦ୍ୱାରା ଆଗାମୀ ଦିନରେ ସର୍ବଶ୍ରେଷ୍ଠ ଖେଳାଳି ଚୟନ କରିବାରେ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।