କୋହଲିଙ୍କ ସ୍ୱପ୍ନ ଚୁରମାର : ପରାଜୟ ସହ ସରିଲା ଆରସିବି ଅଧିନାକୟ ଯୁଗ, ଦଳକୁ କରାଇପାରିଲେନି ଚାମ୍ପିଅନ୍

ଶେଷ ମ୍ୟାଚରେ କୋଲକାତାଠୁ ହାରିଲା ବାଙ୍ଗାଲୋର; ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା-ଦିଲ୍ଲୀ ଟକ୍କର

320

କନକ ବ୍ୟୁରୋ : ପରାଜୟ ସହ ଶେଷ ହେଲା ବିରାଟ କୋହଲିଙ୍କ ଆଇପିଏଲରେ ଅଧିନାୟକତ୍ୱ । ଅଧିନାୟକ ଭାବେ ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି ବିରାଟ କୋହଲି । କୋଲକାତା ନାଇଟ୍ ରାଇଡର୍ସଠାରୁ ପରାସ୍ତ ହେବା ପରେ ଆଇପିଏଲ୍ ଟ୍ରଫି ଜିତିବାର ସ୍ୱପ୍ନ ବିରାଟଙ୍କ ଚୁରମାର ହୋଇଛି । କୋହଲିଙ୍କ ଆଇପିଏଲ୍ ଅଧିନାୟକ ଯୁଗର ଦୁଃଖଦ ଅବସାନ ଘଟିଛି । କାରଣ ଚଳିତ ସିଜିନ୍ ପରେ ଆରସିବି ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିସାରିଛନ୍ତି କୋହଲି । ତେଣୁ ଆସନ୍ତା ସିଜିନରେ ଆରସିବି ନୂଆ ଅଧିନାୟକ ସହ ଖେଳିବ । ଆଇପିଏଲ୍ ଆରମ୍ଭ ହେବା ପରଠାରୁ କୋହଲି ଆରସିବି ସହ ଅଛନ୍ତି ।

– ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଖେଳାଳି ଭାବେ ଆରସିବିରେ ଥିଲେ କୋହଲି
– ୨୦୧୩ରୁ ଆରସିବିରେ ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ
– ୨୦୧୬ ଆଇପିଏଲରେ ସର୍ବାଧିକ ସ୍କୋର କରିଥିଲେ ବିରାଟ
– କୋହଲି ୨୦୭ଟି ଆଇପିଏଲ୍ ଖେଳି ୬୨୮୩ ରନ୍ କରିଛନ୍ତି
– ଆଇପିଏଲ୍ ୫ ଶତକ ଓ ୪୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି
– ୯ ବର୍ଷ ଧରି ଆରସିବିର ନେତୃତ୍ୱ ନେଇଛନ୍ତି ବିରାଟ କୋହଲି
– ଥରେ ହେଲେ ବି ଆରସିବିକୁ ଚାମ୍ପିଅନ୍ କରିପାରିନାହାନ୍ତି
– ୨୦୧୬ ଆଇପିଏଲରେ ଉପବିଜେତା ହୋଇଥିଲା ଆରସିବି
– ଗତବର୍ଷ ଓ ଚଳିତ ବର୍ଷ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ

ସୋମବାରର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ତାଙ୍କର ଏହି ନିଷ୍ପତ୍ତିର ସମ୍ମାନ ଆର୍‌ସିବି ବ୍ୟାଟର୍‌ ରଖିପାରି ନଥିଲେ। ଫଳରେ କର ବା ମର ମ୍ୟାଚ୍‌ରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା । ବ୍ୟକ୍ତିଗତ ଭାବେ କୋହଲି ଅବଶ୍ୟ ବହୁ ଚେଷ୍ଟା କରିଥିଲେ । ଆଉ ତାଙ୍କ ୩୯ ରନ୍ ହିଁ ଆର୍‌ସିବିର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା । ଅନ୍ୟ ‌କୌଣସି ଆର୍‌ସିବି ବ୍ୟାଟର୍‌ କିନ୍ତୁ ନିଜ ଅଧିନାୟକଙ୍କ ଭଳି ଦାୟିତ୍ବବାନ ପାଳି ଖେଳିପାରି ନଥିଲେ। ବିଶେଷ କରି ରହସ୍ୟମୟ କାରବୀୟ ବୋଲର ସୁନିଲ ନାରାୟଣଙ୍କ ଚକ୍ରବ୍ୟୂହରେ ଫସି ଆର୍‌ସିବିର ପ୍ରମୁଖ ବ୍ୟାଟର୍‌ମାନେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ । କୋହଲିଙ୍କ ସହ ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଏବି ଡିଭିଲିୟର୍ସଙ୍କୁ ଆଉଟ୍ କରି ନାରାୟଣ ହିଁ ଆର୍‌ସିବି ବ୍ୟାଟିଂକ୍ରମକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ।

ଦେବିଦତ୍ତ ପଡ଼ିକଲ ଓ ଶହାବାଜ ଅହମ୍ମଦଙ୍କୁ ଲୋକି ଫର୍ଗୁସନ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ପ୍ରଥମ ୱିକେଟ୍‌ରେ କିନ୍ତୁ କୋହଲି ଓ ପଡ଼ିକଲ ଦ୍ରୁତ ୪୯ ରନ୍ ସଂଗ୍ରହ କରି ନେଇଥିଲେ । ତେବେ ଏହା ପରେ ଆର୍‌ସିବି ପାଳି ପୂରା ଭୁଶୁଡ଼ି ଯାଇଥିଲା । ‌ମାତ୍ର ୯୦ ରନ୍ ଭିତରେ ୭ ୱିକେଟ୍ ହରାଇବା ପରେ ଆର୍‌ସିବି ଆଶାଜନକ ଭାବେ ରନ୍ ଗତି ବଢ଼ାଇ ପାରିନଥିଲା । ତେବେ ମାତ୍ର ୧୫ ରନ୍ କରିଥିବା ମ୍ୟାକ୍ସୱେଲ୍ ଚଳିତ ଋତୁରେ ୫୦୦ ରନ୍ କରିବାରେ ଆର୍‌ସିବିର ପ୍ରଥମ ଏବଂ ମୋଟ ଉପରେ ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଚଳିତ ଆଇପିଏଲ୍‌ରେ ୫୦୦ରୁ ଅଧିକ ରନ୍ କରିଥିବା ଅନ୍ୟ ଖେଳାଳିମାନେ ହେଲେ କେଏଲ୍ ରାହୁଲ (୬୨୬), ଋୁତରାଜ ଗାଏକ୍ବାଡ୍ (୬୦୩), ଶିଖର ଧାୱନ (୫୫୧) ଓ ଫାଫ୍ ଡୁ’ପ୍ଲେସିସ୍ (୫୪୭) ।