ରବିବାରକୁ ଘୁଞ୍ଚିଲା ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ସିଲେକ୍ସନ। ସବୁ ବରିଷ୍ଠ ଖେଳାଳି ଆଗ୍ରହୀ, ଏବେବି ଚର୍ଚ୍ଚାରେ ମିଡିଲ ଅର୍ଡର

ସୁଯୋଗ ଅପେକ୍ଷାରେ ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟର ଓ ମନୀଷ ପାଣ୍ଡେ

254

କନକ ବ୍ୟୁରୋ: ଆଜିି ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଚୟନ ହେବାର ଥିଲା , ତେବେ ଏହାକୁ ଆସନ୍ତା ରବିବାରକୁ ଘୁଞ୍ଚାଇଦିଆଯାଇଛି । ପ୍ରଶାସନିକ ସମିତିର ନୂଆ ନିର୍ଦ୍ଦେଶ ପରେ ଏହାକୁ ରବିବାରକୁ ଘୁଞ୍ଚାଯାଇଛି । ରବିବାର ଚୟନ ସମିଚି ବୈଠକ ପରେ ହିଁ ଦଳ ଘୋଷଣା ହେବ । ଅଧିନାୟକଙ୍କ ଉପସ୍ଥିତିରେ ସବୁ ଖେଳାଳିଙ୍କ ଫିଟନେସ ରିପୋର୍ଟ ମଗାଯାଇଛି । ବୈଠକରେ ଭାରତୀୟ ମଧ୍ୟକ୍ରମ ହିଁ ମୁଖ୍ୟ ପ୍ରସଙ୍ଗ ରହିବ । କଣ୍ଣାଟକର ମୟଙ୍କ ଅଗ୍ରୱାଲ, ମନୀଷ ପାଣ୍ଡେ, ଓ ମୁମ୍ବାଇର ଶ୍ରେୟସ ଆୟରଙ୍କ ନାଁ ଆଗରେ ରହିଛି ।

ସେପଟେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦଳର ବରିଷ୍ଠ ଖେଳାଳିମାନେ ସାମିଲ ହେବେ ବୋଲି ସୂଚନା ମିଳିଛି । କ୍ୟାପଟେନ୍ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ରୋହିତ ଶର୍ମାଙ୍କ ପର୍ଯ୍ୟନ୍ତ ସବୁ ବରିଷ୍ଠ ଖେଳାଳି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାକୁ ଇଛୁକ ଥିବା ସୂଚନା ମିଳିଛି । ଖବର ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତି ବୁମରା ଏହି ଗସ୍ତରୁ ଦୂରେଇ ରହିବେ । ଧୋନୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରିନି ।

ପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ, କୋହଲି ଓ ଆଉ କେତେକ ଖେଳାଳିଙ୍କୁ ଏହି ଗସ୍ତ ବେଳେ ବିଶ୍ରାମ ଦିଆଯାଇପାରେ । ଆସନ୍ତା ମାସରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ । ସେଠାରେ ଉଭୟ ଦେଶ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ବିଶ୍ୱକପ୍ ପରେ ଭାରତୀୟ ଟିମର ଏହା ପ୍ରଥମ ବିଦେଶ ଗସ୍ତ ହେବ । ସେପଟେ କୋଚ୍ ସମେତ ନୂଆ ଷ୍ଟାଫ୍ ପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିସାରିଛି । ତେବେ ପୂର୍ବଥର ଭଳି କୋଚ୍ ଚୟନ ବେଳେ ଏଥର କ୍ୟାପଟେନ୍ କୋହଲିଙ୍କ ପରାମର୍ଶ ନିଆଯିବ ନାହିଁ ବୋଲି ସୂଚନା ମିଳିଛି ।