କୋହଲିଙ୍କ ବ୍ୟାଟିଂ କିୱି ଟିମର ନିଦ ଉଡାଇବ । ନେଟସରେ ବିରାଟଙ୍କ ସଟ୍ ଦେଖିଲେ ଆପଣ ବି କହିବେ ବାଃ କୋହଲି ବାଃ ।

248

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ପରାଜିତ ହେବା ପରେ ଏବେ ଟି-୨୦ ବିଶ୍ୱକପରେ କିୱି ଟିମକୁ ଭେଟିବେ କୋହଲି ଆଣ୍ଡ କୋ । ସେମିଫାଇନାଲ ରେସରେ ରହିବାକୁ ହେଲେ ବିରାଟ ବାହିନୀକୁ ଏହି ମ୍ୟାଚ ଜିତିବାକୁ ପଡିବ । ଯେଉଁଥିପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ ଟିମ୍ ଇଣ୍ଡିଆକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ପୂର୍ବ ମ୍ୟାଚରେ କ୍ୟାପଟେନ କୋହଲି ଓ ରିଷଭ ପନ୍ତଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳୀ ସେଭଳି ଦମଦାର ପ୍ରଦର୍ଶନ କରିନଥିଲେ । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି କୋହଲି ଏବେ ଫର୍ମକୁ ଫେରିଥିବାର ସଂକେତ ଦେଇଛନ୍ତି । ଆଉ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ନେଟସରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଉଛନ୍ତି କୋହଲି । ନେଟସରେ କୋହଲିଙ୍କ ବ୍ୟାଟରୁ ଏମିତି କିଛି ସଟ୍ ଦେଖିବାକୁ ମିଳିଛି ଯାହା ନ୍ୟୁଜିଲାଣ୍ଡ ଶିବିରରେ ଭୟ ସୃଷ୍ଟି କରିବ ନିଶ୍ଚୟ ।

ଆଇସିସି ଗୁରୁବାର ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡ଼ିଓ ସେୟାର କରିଥିଲା । ଯେଉଁ ଭିଡ଼ିଓରେ ବିରାଟ ନେଟ ପ୍ରାକ୍ଟିସ କରୁଥିବାର ଦେଖିବାକୁ ମିଳିଥିଲା । ସବୁଠୁ ବଡ କଥା ହେଲା ନେଟସରେ ବିରାଟଙ୍କୁ ବଡ ବଡ ସଟ ମାରୁଥିବାର ଦେଖିବାକୁ ମିଳିଥିଲା । ଯାହା ଦର୍ଶାଉଥିଲା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଗର୍ଜିବ ବିରାଟଙ୍କ ବ୍ୟାଟ୍ । ଆଉ ଏଭଳି ଅନ୍ଦାଜରେ ବିରାଟ ବ୍ୟାଟିଂ କରିବା ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଶୁଭ ସଂକେତ ।

 

View this post on Instagram

 

A post shared by ICC T20 World Cup (@t20worldcup)

ଗୋଟିଏ ପଟେ ବିରାଟ ନେଟସରେ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ନେଟସ ପଛରେ ଇଶାନ କିଷାନ ଓ ଶ୍ରେୟସ ଆୟର ଏହାର ମଜା ନେଇଛନ୍ତି । ବିରାଟଙ୍କ ପ୍ରତି ସଟ୍ ଉଭୟ ଖେଳାଳୀଙ୍କୁ ବେଶ ଉତ୍ସାହିତ କରୁଥିଲା । ଏପରିକି ପଛରୁ ରହି ଚିୟର କରିବାକୁ ପଛାଇ ନଥିଲେ ଇଶାନ ଓ ଶ୍ରେୟସ । ଅନ୍ୟପଟେ ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ଯେତିକି ଜରୁରୀ ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ଏହି ମ୍ୟାଚ୍ ସେତିକି ଗୁରୁତ୍ୱପୂର୍ଣ୍ଣ । ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଏହି ମ୍ୟାଚରେ ବିଜୟୀ ହେବାକୁ ଆବଶ୍ୟକ ହୋଇପଡିଛି । ତେବେ ଟି-୨୦ ବିଶ୍ୱକପ ଇତିହାସର ରେକର୍ଡ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଏଯାଏଁ ବିଶ୍ୱକପ ଟି-୨୦ରେ ବିଜୟ ହାସଲ କରିପାରିନାହିଁ । ୨୦୧୬ ବିଶ୍ୱକପରେ ଉଭୟ ଟିମ୍ ପରସ୍ପରକୁ ଭେଟିଥିଲେ କିନ୍ତୁ ଏହି ମ୍ୟାଚରେ ୪୭ ରନରେ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ ।