ବର୍ମିଂହାମ ମୁକାବିଲାରେ ଟିମ ଇଣ୍ଡିଆକୁ ଚିୟର କଲେ ବୟସ୍କା ଫ୍ୟାନ। ହ୍ୱିଲଚେୟାରରେ ବସି ଦେଖୁଥିଲେ ଖେଳ, ମ୍ୟାଚ ପରେ ୮୭ ବର୍ଷୀୟ ଚାରୁଲତାଙ୍କୁ ଭେଟି ଆଶୀର୍ବାଦ ନେଲେ କୋହଲି

217

କନକ ବ୍ୟୁରୋ: ମଙ୍ଗଳବାର ବାଂଲାଦେଶ ବିପକ୍ଷ ମ୍ୟାଚବେଳେ ସବୁଠୁ ଚର୍ଚ୍ଚାରେ ରହିଥିଲେ ଜଣେ ୮୭ ବର୍ଷିୟ କ୍ରିକେଟ ପ୍ରଶଂସିକା । ଚାରୁଲତା ପଟେଲ ନାମ୍ନୀ ଏହି କ୍ରି୍ରକେଟ ପ୍ରଶଂସିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖେଳ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ ଗୁଡିକର ଆକର୍ଷଣରେ ବି ରହିଥିଲେ ଏହି ବୟସ୍କା ମହିଳା ।

ଟିଭି ଚ୍ୟାନେଲ ଗୁଡିକର କ୍ୟାମେରା ବାରମ୍ବାର ତାଙ୍କ ଉପରେ ପକାଇବା ସହ ତାଙ୍କୁ ପରଦାରେ ଦେଖାଉଥିଲେ । ହୁଇଲ ଚେୟାରରେ ବସି ମ୍ୟାଚ ଦେଖିବା ଓ ଭୁଭୁଜେଲା ଫୁଙ୍କିବା ସହ ତାଳି ବଜାଇବା ଦୃଶ୍ୟ ତାଙ୍କ ଉତ୍ସାହର ପ୍ରମାଣ ଦେଉଥିଲା ।

ତେବେ ସବୁଠୁ ଚର୍ଚ୍ଚାରେ ରହିଥିଲା ଶତକ ହାସଲକାରୀ ରୋହିତ ଶର୍ମା ଚାରୁଲତାଙ୍କୁ ଭେଟି ଆଲିଙ୍ଗନ କରିବାର ଦୃଶ୍ୟ । ଏହି ମୁହୂର୍ତ ସମସ୍ତଙ୍କ ମନକୁ ଜିତି ନେଇଥିଲା । ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ଚାରୁଲତାଙ୍କୁ ଭେଟି ତାଙ୍କ ଆର୍ଶୀବାଦ ନେଇଥିଲେ । ଏହି ଦୃଶ୍ୟ ବେଶ୍ ମନମୁଗ୍ଧକର ଥିଲା ।

ଅନ୍ୟପଟେ, ବିଶ୍ୱକପରେ ଟିମଇଣ୍ଡିଆର ବିଜୟ ପରେ ଏବେ ଆରମ୍ଭ ହୋଇଯାଇଛି ଟୁଇଟ୍ ବର୍ଷା । ଟିମଇଣ୍ଡିଆ ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଥିବାରୁ ବଧେଇ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେପଟେ ଟିମ୍ ଇଣ୍ଡିଆ ବିଶ୍ୱକପ ସେମିରେ ପ୍ରବେଶ କରିଥିବାରୁ ଦଳକୁ ଶୁଭେଛା ଜଣାଇଛନ୍ତି ସଚିନ୍ । ରୋହିତଙ୍କ ଲଗାତର ଭଲ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ସଚିନ୍ । ବିଶ୍ୱକପରେ ଦଳର ଏହି ଦାୟିତ୍ୱକୁ ରୋହିତ ନିଜ କାନ୍ଧକୁ ନେଇଥିବାରୁ ସଚିନ୍ ଏହାକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ସେପଟେ ବୁମରାଙ୍କ ଫଟୋ ସହିତ ସେହବାଗ୍ ଟୁଇଟ୍ କରି କହିଛନ୍ତି ଗୋଟିଏ ଚେହେରା ଯାହାକୁ ଭରସା କରାଯାଇପାରେ । ସେପଟେ ଭାରତୀୟ ଦଳ ବିଶ୍ୱକପ୍ ସେମିରେ ସ୍ଥାନ ପକ୍କା କରିଥିବାରୁ ଶୁଭେଛା ଜଣାଇଛନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ମ୍ୟାଚ୍ ଶେଷଭାଗରେ ବାଂଲାଦେଶ ଯେମିତି ସ୍ପିରିଟ୍ ଓ ଲଢେଇ କଲା , ତା ନେଇ ବାଂଲା ଦଳକୁ ମଧ୍ୟ ପ୍ରଶଂସା କରିଛନ୍ତି ଲକ୍ଷ୍ମଣ । ମ୍ୟାଚ୍ ଜିତିବା ପରେ ପୁରା ଟିମ୍ ମେଟଙ୍କ ଫଟୋକୁ ନିଜ ଟୁଇଟର ପେଜରେ ସ୍ଥାନ ଦେଇ କୋହଲି ଟୁଇଟ୍ କରିଛନ୍ତି ଆମେ ଏକାଠି ଆଗେଇ ଚାଲିଛୁ, ଜୟ ହିନ୍ଦ ।