କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଆଉଏକ ମାଇଲଖୁଣ୍ଟ । ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି କୋହଲି ନିଜ ନାଁରେ କରିଛନ୍ତି ବଡ଼ ରେକର୍ଡ । ଦୁନିଆର ପ୍ରଥମ ବ୍ୟାଟର ଭାବେ ସେ ଏହି ରେକର୍ଡ କରିଛନ୍ତି । ପୋର୍ଟ ଅଫ୍ ସ୍ପେନରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିରାଟ ନିଜର ୨୯ତମ ଟେଷ୍ଟ ଶତକ ମାରିଛନ୍ତି । ଏହା ମଧ୍ୟ ତାଙ୍କ କ୍ୟାରିୟରର ଥିଲା ୭୬ତମ ଅନ୍ତର୍ଜାତୀୟ ଶତକ ।

Advertisment

କୋହଲି ଦିନିକିଆରେ ହାସଲ କରିଛନ୍ତି ୪୭ ଶତକ । କୋହଲିଙ୍କ ପୂର୍ବରୁ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଏହି ବିରଳ ସଫଳତା ହାସଲ କରିନାହାନ୍ତି । ନଭେମ୍ବର ୨୦୧୯ରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିଲା ବେଳେ କୋହଲିଙ୍କ ଟେଷ୍ଟ୍ ଆଭରେଜ୍ ୫୦ ତଳକୁ ଖସିଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଅହମଦାବାଦଠାରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଶତକ ହାସଲ କରିବା ପରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳ ଜୀବନର ୨୯ତମ ଟେଷ୍ଟ ଶତକ ଅର୍ଜନ କରିବା ପରେ ତାଙ୍କ ବ୍ୟାଟିଂ ହାର ପୁଣି ଥରେ ୫୦ ଛୁଇଁବାର ଆଶା ସଂଚାର ହୋଇଛି ।

ଏହି ଶତକ ପରେ କୋହଲିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୪୯.୩୦ ରହିଛି । ଏଣୁ ଚଳିତ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଯଦି ବ୍ୟାଟିଂ ସୁଯୋଗ ମିଳେ ତେବେ କୋହଲି ପୁଣି ଥରେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟଥା ଏଥିଲାଗି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଶୃଙ୍ଖଳାକୁ ଅପେକ୍ଷା କରିବାକୁ ହେବ । କୋହଲିଙ୍କ ସମସାମୟିକଙ୍କ ମଧ୍ୟରେ ଏବି ଡି’ଭିଲିୟର୍ସ, ଷ୍ଟିଭେନ୍ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି । ଅନ୍ୟ କିଂବଦନ୍ତି ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଭିଭିଆନ୍ ରିଚାର୍ଡସ, ଆଲାନ ବର୍ଡର, ରାହୁଲ ଦ୍ରାବିଡ଼, ଜାଭେଦ ମିଆଁଦାଦ ସୁନୀଲ ଗାଭାସ୍କର ଆଦିଙ୍କ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି । ମହାନ ଖେଳାଳି ଡନ୍ ବ୍ରାଡମ୍ୟାନଙ୍କ ବ୍ୟାଟିଂ ହାର ସର୍ବାଧିକ ୯୯.୯୪ ଥିଲେ ମଧ୍ୟ ସେ ୫୨ ଟେଷ୍ଟ୍ ଖେଳିଛନ୍ତି ।

କୋହଲିଙ୍କ ଶତକ ସାଙ୍ଗକୁ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ କରିଛି ୪୩୮ ରନ୍ । ଜାଡେଜା ୬୧ ରନ୍ ଓ ଅଶ୍ୱିନ୍ ୫୬ ରନ କରିଛନ୍ତି । ଜବାବରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ କରିଛି ୮୬ ରନ୍ ।