କନକ ବ୍ୟୁରୋ: ଟି-୨୦ର ନୂଆ କିଙ୍ଗ୍, କୋହଲି । ବିରାଟ କୋହଲି ଟି-୨୦ ବିଶ୍ୱକପରେ ସର୍ବାଧିନ ରନ କରିବାର ରେକର୍ଡ କରିଛନ୍ତି । ବୁଧବାର ବାଂଲାଦେଶ ବିରୋଧରେ କୋହଲି ୬୪ ରନ କରିବା ସହ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । କୋହଲି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୨୫ଟି ମ୍ୟାଚରୁ ୧୦୬୫ ରନ ସଂଗ୍ରହ କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ତାଙ୍କୁ ବିଶ୍ୱରେକର୍ଡର ଲକ୍ଷ୍ୟ ହାସଲ ପାଇଁ ୧୬ ରନର ଆବଶ୍ୟକତା ରହିଥିଲା । ତେବେ ସେ ଏହାକୁ ଅତିକ୍ରମ କରି ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ପୂର୍ବରୁ ପୁରୁଷ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ କରିବାର ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ଖେଳାଳୀ ମାହେଲା ଜୟବର୍ଦ୍ଧନେଙ୍କ ନାମରେ ରହିଥିଲା । ସେ ୩୧ଟି ମ୍ୟାଚ ଖେଳି ୧୦୧୬ ରନସଂଗ୍ରହ କରିଥିଲେ ।

Advertisment

ବିରାଟଙ୍କ ଟି-୨୦ ବିଶ୍ୱକପରେ ୨୫ ମ୍ୟାଚରୁ ୮୮.୭୫ ଆଭରେଜରେ ୧୦୬୫ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ୍ ରହିଛି ୧୩୨.୪୬ । ବିଶ୍ୱକପରେ ତାଙ୍କର ସର୍ବାଧକ ରନ୍ ହେଉଛି ୮୯ । ସେହିଭଳି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି କ୍ରିସ ଗେଲ୍ । ୩୩ ମ୍ୟାଚରୁ ୯୬୫ ରନ ସଂଗ୍ରହ କରିଛନ୍ତି । ଗେଲଙ୍କ ପରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଯିଏ ୩୭ଟି ମ୍ୟାଚରୁ ୯୨୧ ସଂଗ୍ରହ କରିଛନ୍ତି ।

ବିରାଟ କୋହଲି ଚଳିତ ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ଜାରିରଖିଛନ୍ତି । ସେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୮୨ ରନ ସଂଗ୍ରହ କରିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ୬୨ ରନ ସଂଗ୍ରହ କରିଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକା ବିରୋଧରେ ୧୨ ରନ କରିପାରିଥିଲେ । ତେବେ ବାଂଲାଦେଶ ବିରୋଧରେ ମଧ୍ୟ ତାଙ୍କ ବ୍ୟାଟର ଜାଦୁ ଚାଲିଥିଲା । ୪୪ ବଲରୁ ସେ ୬୪ ରନର ଇନିଂସ ଖେଳିଥିଲେ । ଏଥିରେ ସେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।