ସାମ୍ବାଦିକ ସମ୍ମିଳନୀରେ କୋହଲି ଖୋଲିଲେ ମନର ଦୁଃଖ । ଚୟନ କର୍ତ୍ତାଙ୍କ ଉପରେ କ୍ଷୁବ୍ଧ ହେଲେ ବିରାଟ !

202

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିରାଟ କୋହଲି । ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମନକଥା ସଭିଁଙ୍କ ସାମ୍ନାରେ ରଖିଛନ୍ତି କୋହଲି । ହେଲେ ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମନାନ୍ତର, ମତାନ୍ତର ନଥିବା ସ୍ପଷ୍ଟ କରିଛନ୍ତି କ୍ରିକେଟର ଏହି ଅଲରାଉଣ୍ଡର ।

ଚୟନ କର୍ତ୍ତାଙ୍କ ଉପରେ କ୍ଷୁବ୍ଧ ହେଲେ ବିରାଟ ! ସାମ୍ବାଦିକ ସମ୍ମିଳନୀରେ କୋହଲି ଖୋଲିଲେ ମନର ଦୁଃଖ । ଭାରତୀୟ ଦିନିକିଆ ଟିମର ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କ୍ରିକେଟର ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କୋହଲି । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ଆଶ୍ଚର୍ଯ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ବିରାଟ କୋହଲି । ସାମ୍ବାଦିକଙ୍କ ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୋହଲି କହିଛନ୍ତି,
– “ସବୁକିଛି ପୂର୍ବରୁ ହିଁ ସ୍ଥିର କରାଯାଇଥିଲା, ଆଉ ମତେ କିଛି ବି ପଚରାଯାଇନାହିଁ । ମୋ ପାଖରେ ସେମାନଙ୍କ ନିଷ୍ପତି ଗ୍ରହଣ କରିବା ଛଡା ଆଉ କିଛି ଉପାୟ ନଥିଲା ।”

ବିସିସିଆଇ ଆଉ ଚୟନକର୍ତା କମିଟିର ଏହି ନିଷ୍ପତି ଭାରତୀୟ ଟେଷ୍ଟ ଟିମ୍ ଅଧିନାୟକ ବିରାଟ କୋହଲିଙ୍କୁ ବେଶ ଆଘାତ ପହଞ୍ଚାଇଛି । ବିରାଟ କହିଛନ୍ତି ଘୋଷଣା କରିବାର ଦେଢ ଘଣ୍ଟା ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ତାଙ୍କୁ ସୂଚନା ଦେଇଥିଲେ ଯେ, ସେ ଏବେ ଆଉ ଦିନିକିଆ ଟିମର ଅଧିନାୟକ ନାହାନ୍ତି ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଟେଷ୍ଟ ଟିମ୍ ସିଲେକ୍ସନ୍ ନେଇ ଚୟନକର୍ତା ମାନେ ବିରାଟ କୋହଲିଙ୍କ ସହ ଆଲୋଚନା କରିଥିଲେ । ଟେଷ୍ଟ ଟିମ୍ ସିଲେକ୍ସନ୍ ପରେ ୫ ଜଣ ମୁଖ୍ୟ ଚୟନକର୍ତ୍ତା ବିରାଟଙ୍କୁ କହିଲେ ଯେ, ସେ ଏବେ ଦିନିକିଆ ଟିମର ଅଧିନାୟକ ନାହାନ୍ତି । ତେବେ ଏହା ପୂର୍ବରୁ କୋହଲିଙ୍କୁ ଦିନିକିଆ ଟିମର କ୍ୟାପଟେନସିପରୁ ହଟାଇବା ନେଇ ତାଙ୍କ ସହ କୌଣସି ଆଲୋଚନା କରାଯାଇ ନଥିବା କହିଛନ୍ତି ବିରାଟ । ଆଉ ଚୟନକର୍ତାଙ୍କ ଏଭଳି କାର୍ଯ୍ୟ ବିରାଟଙ୍କୁ ଦୁଃଖ ପହଞ୍ଚାଇଛି । ତେବେ ଚୟନକର୍ତାଙ୍କ ସବୁ ନିଷ୍ପତିକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି ।

ପୂର୍ବରୁ ଟି-୨୦ କ୍ୟାପଟେନସିପକୁ ଛାଡି ସାରିଛନ୍ତି ବିରାଟ । ତେବେ ୱାନ ଡେ କ୍ୟାପଟେନସିପରୁ ଓହରିବା ନେଇ ସେ କୌଣସି ନିଷ୍ପତି ନେଇ ନଥିଲେ । ୨୦୨୩ ପର୍ଯ୍ୟନ୍ତ ଦିନିକିଆ ଟିମର ଅଧିନାୟକ ପଦ ସମ୍ଭାଳିବେ ବୋଲି ବିରାଟ ସବୁବେଳେ କହି ଆସୁଥିଲେ । ମାତ୍ର ତାଙ୍କୁ ହଠାତ୍ ଦିନିକିଆ କ୍ୟାପଟେନସିପରୁ ହଟାଇବା କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରୋହିତଙ୍କ ସହ ବିବାଦକୁ ନେଇ ବିରାଟଙ୍କ ଖୁଲାସା । କହିଲେ, ରୋହିତ ଜଣେ ଉନ୍ନତ କ୍ୟାପଟେନ, ତାଙ୍କ ସହ ନାହିଁ କୌଣସି ଟକ୍କର । ଅନେକ ଦିନରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଇଛି । ଦୁଇ କ୍ରିକେଟରଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା ନେଇ ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି, ହେଲେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ବିରାଟ । ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି,
– “ରୋହିତ ଭାଇ ଜଣେ ଦକ୍ଷ ଏବଂ ଅନୁଭବୀ ଖେଳାଳୀ । ତାଙ୍କ ସହ କୌଣସି ଟକ୍କର ନାହିଁ । ବିସିସିଆଇ ଯାହା ବି ନିଷ୍ପତି ନେଇଛି ସବୁକିଛି ବୁଝି ବିଚାରି ନେଇଛି ।”

ଅନ୍ୟପଟେ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । କାରଣା ରୋହିତ ଶର୍ମା ଟେଷ୍ଟ ସିରିଜରୁ ହୋଇଛନ୍ତି ବାହାର । ମୁମ୍ବାଇରେ ପ୍ରାକ୍ଟିସ୍ ସମୟରେ ଆଘାତ କାରଣରୁ ତାଙ୍କୁ ତିନି ସପ୍ତାହ ଯାଏଁ ରିହାତି ଦିଆଯାଇଛି ।