ପଟେଲଙ୍କ ପକେଟରେ ପୂରା ୧୦ ୱିକେଟ । ଡ୍ରେସିଂ ରୁମରେ ଭେଟି ଶୁଭେଚ୍ଛା ଜଣାଇଲେ ଟିମ୍ ଇଣ୍ଡିଆର କ୍ୟାପଟେନ-କୋଚ୍ ।

178

କନକ ବ୍ୟୁରୋ : ମନ ଜିଣିନେଲେ ଦ୍ରାବିଡ-କୋହଲି । ମୁମ୍ବାଇରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟରେ ନୂଆ ରେକର୍ଡ କରିଥିବା ଏଜାଜ ପଟେଲଙ୍କୁ ଶୁଭକାମନା ଜଣାଇଛନ୍ତି କୋଚ-କ୍ୟାପଟେନ ଯୋଡି । ଏହି ମ୍ୟାଚରେ ସମସ୍ତ ୧୦ ଭାରତୀୟ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ରେକର୍ଡ ବୁକରେ ନିଜ ନାଁ ସାମିଲ କରିଛନ୍ତି ଏଜାଜ । ଭାରତୀୟ ବଂଶୋଦ୍ଭବ ଏଜାଜଙ୍କ ଏହି ଐତିହାସିକ ଉପଲବ୍ଧି ପରେ ବଡ ବଡ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି । କିଏ ଟ୍ୱିଟ୍ କରି ତ ପୁଣି କିଏ ଫୋନ କରି ଏଜାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ ଓ କୋଚ୍ ରାହୁଲ ଦ୍ରାବିଡ ଏଜାଜଙ୍କୁ ଡ୍ରେସିଂ ରୁମ ଯିବା ପୂର୍ବରୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ଭାରତୀୟ ଖେଳାଳୀ ମହମ୍ମଦ ସିରାଜ ମଧ୍ୟ ଏଜାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏହି ଐତିହାସିକ ଉପଲବ୍ଧି ହାସଲ କରିବାରେ ନ୍ୟୁଜିଲାଣ୍ଡର ପ୍ରଥମ ବୋଲର ହେଉଛନ୍ତି ଏଜାଜ ପଟେଲ । ଆଉ ଏହାପରେ ଏଜାଜ କହିଛନ୍ତି, ଏହା କେବଳ ମୋ ପାଇଁ ନୁହେଁ ବରଂ ମୋ ପରିବାର ପାଇଁ ସ୍ମରଣୀୟ ମୁହୂର୍ତ୍ତ । ନିଜ କ୍ରିକେଟ କ୍ୟାରିୟରରେ ଏଭଳି ସଫଳତା ପାଇବା ବେଶ ଖୁସିର ବିଷୟ । ଯେଉଁଠାରେ ଜନ୍ମଗ୍ରହଣ କରିଛି ସେଠାରେ ଆସି ଏଭଳି ସଫଳତା ପାଇଁ ନିଶ୍ଚିତ ଭାବେ ସ୍ମରଣୀୟ ।

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାରତର ସମସ୍ତ ୧୦ଟି ୱିକେଟ ହାତେଇଥିଲେ ଏଜାଜ ପଟେଲ ।  ଏକାକୀ ଏଜାଜ ହିଁ ସମସ୍ତ ଭାରତୀୟ ଖେଳାଳୀଙ୍କୁ ପ୍ୟାଭିଲିୟନ ପଠାଇ ନୂଆ ରେକର୍ଡ କରିଥିଲେ । ଏହାପୂର୍ବରୁ ଭାରତର ଅନୀଲ କୁମ୍ବଲେ ମଧ୍ୟ ଏହି ରେକର୍ଡ ବୁକରେ ସାମିଲ ହୋଇ ସାରିଛନ୍ତି । ପାକିସ୍ତାନ ବିପକ୍ଷ ଟେଷ୍ଟରେ ୧୦ରୁ ୧୦ ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଏହି ବିରଳ ରେକର୍ଡ ହାସଲ କରିଥିଲେ । ତେବେ ଏଜାଜଙ୍କ ଏହି ୧୦ ୱିକେଟ ସଫଳତା ପରେ ମଧ୍ୟ ନ୍ୟୁଜିଲାଣ୍ଡ ଏହି ଟେଷ୍ଟ ମ୍ୟାଚରେ ବ୍ୟାକଫୁଟରେ ରହିଛି । ଦଳ ପ୍ରଥମ ଇନିଂସରେ ମାତ୍ର ୬୨ ରନରେ ଅଲଆଉଟ ହୋଇଛି । ଯାହାଫଳରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୫୦ରୁ ଅଧିକ ରନର ଅଗ୍ରଣୀ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ତେଣୁ ଏବେ ମ୍ୟାଚ୍ ବଞ୍ଚାଇବା କିୱି ଦଳ ପାଇଁ ବେଶ କଷ୍ଟକର ହୋଇପାରେ ।