ଇଣ୍ଡିଜ୍ ଗସ୍ତ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ବିରାଟ ! ଏହି ୫ଟି ପ୍ରଶ୍ନର କ’ଣ ଉତ୍ତର ରଖିବେ କୋହଲି ?

251

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତରେ ଯିବା ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିସିସିଆଇ ଏନେଇ ସୂଚନା ଦେଇଥିବା ବେଳେ ଆଜି ମୁମ୍ବାଇରେ ସନ୍ଧ୍ୟା ୬ଟାରେ ପ୍ରେସ କନଫରେନ୍ସ ଅନୁଷ୍ଠିତ ହେବ । ଆସନ୍ତା ଅଗଷ୍ଟ ମାସ ୩ ତାରିଖରୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ବିରାଟ ବ୍ରିଗେଡ୍ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜରୁ ଏହି ଗସ୍ତ ଆରମ୍ଭ କରିବ । ଯାହା ପୂର୍ବରୁ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଖେଳାଯିବ ।

ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ପ୍ରଥମ ଥର ପାଇଁ ଭାରତରେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ ଅଧିନାୟକ ବିରାଟ କୋହଲି । ଆଉ ଏହି ସମୟରେ ବିରାଟଙ୍କୁ ଅନେକ ଜଟିଳ ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ ।

୧.ବିଶ୍ୱକପ ମଧ୍ୟରେ ଜୁନ୍ ୨୩ ତାରିଖରେ ଅଚାନକ ଖବର ଆସିଥିଲା ଯେ, ୱେଷ୍ଟଇଣ୍ଡିଜ ଗସ୍ତରେ ଟି-୨୦ ଏବଂ ଦିନିକିଆ ସିରିଜରେ ବିସିସିଆଇକୁ ବିଶ୍ରାମ ମାଗିଛନ୍ତି କୋହଲି । କିନ୍ତୁ ସେମିଫାଇନାଲ ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଯେତେବେଳେ ଦଳଘୋଷଣା ହୋଇଥିଲା, ସେତେବେଳେ ୩ଟି ଯାକ ଫର୍ମାଟରେ କୋହଲିଙ୍କୁ ଦଳର ମଙ୍ଗ ଧରାଇଥିଲେ ଚୟନକର୍ତ୍ତା । ତେବେ ଏ ବାବଦ ପ୍ରଶ୍ନର ମଧ୍ୟ ଆଜି କୋହଲିଙ୍କୁ ଉତ୍ତର ରଖିବାକୁ ପଡିପାରେ ।

୨.ସେହିପରି ବିଶ୍ୱକପ ସେମିଫାଇନାଲରେ ପରାଜୟ ପରେ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାର ଖବର ସାମ୍ନା ଆସିଥିଲା । ତେଣୁ ଏ ବାବଦ ପ୍ରଶ୍ନର ମଧ୍ୟ କୋହଲିଙ୍କୁ ଉତ୍ତର ରଖିବାକୁ ହେବ ।

୩.ଆଉ ଏକ ବଡ କଥା ହେଉଛି, ଟିମ୍ ଇଣ୍ଡିଆ ପାଇଁ ନୂଆ କୋଚ୍ ଚୟନ ବେଳେ ଅଧିନାୟକ ବିରାଟ କୋହଲିଙ୍କ ମତ ଲୋଡା ଯିବନାହିଁ । ଏନେଇ ମଧ୍ୟ କୋହଲିଙ୍କ ପ୍ରତିକ୍ରିୟା ମଗାଯାଇପାରେ । କାରଣ ରବି ଶାସ୍ତ୍ରୀଙ୍କୁ ଯେତେବେଳେ କୋଚି ପାଇଁ ଚୟନ କରାଯାଉଥିଲା, ସେତେବେଳେ ଅଧିନାୟକ କୋହଲିଙ୍କ ମତ ଲୋଡାଯାଇଥିଲା ।

୪.ସେହିପରି ଦଳର ୪ ନମ୍ବର ବ୍ୟାଟିଂ କ୍ରମ ଦୁର୍ବଳତା ନେଇ ମଧ୍ୟ କୋହଲିଙ୍କୁ ଉତ୍ତର ରଖିବାକୁ ପଡିପାରେ ।

୫. ବିଶ୍ୱକପ ପରାଜୟ ପରେ ଜୋରଦାର ଚର୍ଚ୍ଚା ହୋଇଥିଲା ଯେ, ଧୋନୀଙ୍କୁ ତୁରନ୍ତ ସନ୍ୟାସ ନେବାରୁ ଅଟକାଇଥିଲେ କୋହଲି । ଆଉ କୁହାଯାଉଛି, ବିରାଟ ଚାହୁଁଛନ୍ତି ଆଗାମୀ ଟି-୨୦ ବିଶ୍ୱକପରେ ଦଳରେ ସାମିଲ ରୁହନ୍ତୁ ମାହି । ତେବେ ଏଭଳି କିଛି ରୋଚକ ପ୍ରଶ୍ନର ଆଜି କୋହଲିଙ୍କୁ ଉତ୍ତର ରଖିବାକୁ ହେବ ।