କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ବଡ ବୟାନ ରଖିଛନ୍ତି କ୍ୟାପଟେନ କୋହଲି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ସାମିଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ ଓ ଟାର୍ଗେଟ କରାଯାଇଥିବା ବେଳେ ଏବେ ଏହି ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିରାଟ । ସାମିଙ୍କୁ ଟ୍ରୋଲ କରାଯିବାକୁ ନେଇ ବିରାଟ ଖପ୍ପା ହେବା ସହ କହିଛନ୍ତି ବାହାରେ ହେଉଥିବା ଡ୍ରାମା ଉପରେ ଆମେ ଏତେଟା ଧ୍ୟାନ ଦେଉନାହୁଁ । ଏବେ ଆମେ ପୂରା ମ୍ୟାଚ୍ ଉପରେ ଫୋକସ କରୁଛୁ । କିନ୍ତୁ କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ ।

Advertisment

ବିରାଟ କହିଛନ୍ତି, କିଛି ଲୋକ ସୋସିଆଲ ମିଡ଼ିଆରେ ନିଜର ପରିଚୟ ଲୁଚାଇ ଏଭଳି ହରକତ କରୁଛନ୍ତି । ଆଉ ଏବେ ଏଭଳି ଘଟଣା ସାଧାରଣ ହୋଇଗଲାଣି । କିନ୍ତୁ ଯେଉଁମାନେ ଏଭଳି ଟ୍ରୋଲ କରି ଲୋକଙ୍କୁ ହଇରାଣ କରୁଛନ୍ତି ସେଭଳି ଲୋକମାନେ ନିଜ ଜୀବନର ସବୁଠୁ ନୀଚ କାମ କରୁଛନ୍ତି । ଆମେ ଡ୍ରେସିଂ ରୁମର ମାହୋଲ ବହୁତ ଭଲ ରଖିଛୁ ଓ ପରସ୍ପର ସହ ସମୟ ବିତାଉଛୁ । ବାହାରେ ଯାହା ବି ଡ୍ରାମ ହେଉଛି, ତାହା ସେଭଳି ଲୋକ ମାନଙ୍କ ମାନସିକତାକୁ ଦର୍ଶାଉଛି । ତେବେ କୌଣସି ବ୍ୟକ୍ତିକୁ ଧର୍ମ ଆଧାରରେ ଟାର୍ଗେଟ କରିବା ସବୁଠୁ ବଡ ଭୁଲ । ମୁଁ କାହା ସହ ଏଭଳି ଭେଦଭାବ କରିନାହିଁ । କିନ୍ତୁ କିଛି ଲୋକ କେବଳ ଏହିଭଳି କାମ କରୁଛନ୍ତି । ଯଦି ମହମ୍ମଦ ସାମିଙ୍କ ବୋଲିଂ କାହାକୁ ଭଲ ଲାଗୁନାହିଁ, ତେବେ ଏ ବାବଦରେ କହି ମୋ ସମୟ ବରବାଦ କରିବାକୁ ଚାହିଁବି ନାହିଁ ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ମହମ୍ମଦ ସାମିଙ୍କୁ ଟ୍ରୋଲ କରାଯାଇଥିଲା । ସେତେବେଳେ ବିସିସିଆଇ ସମେତ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ସମର୍ଥନରେ ବାହାରିଥିଲେ । ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିଲେ ପୂର୍ବତନ ଭାରତୀୟ ଖେଳାଳୀ । ଆଉ ଆଜି ସାମିଙ୍କ ସମର୍ଥନରେ ବାହାରିବା ସହ ଧର୍ମକୁ ନେଇ କାହାକୁ ଟାର୍ଗେଟ ନ କରିବାକୁ ସ୍ପଷ୍ଟ ଭାବେ କହିଛନ୍ତି ବିରାଟ ।

ଏସବୁ ଭିତରେ ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ତେବେ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକଙ୍କୁ ନେଇ ବଡ ବୟାନ ରଖିଛନ୍ତି କୋହଲି । ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି, ଯଦି ଷଷ୍ଠ ବୋଲରଙ୍କ ଆବଶ୍ୟକତା ପଡେ ତେବେ ସିଏ ହାର୍ଦ୍ଦିକ ହୋଇପାରନ୍ତି ନଚେତ ମୁଁ ମଧ୍ୟ ହୋଇପାରେ । ଏହାବାଦ୍ ଶାର୍ଦ୍ଦୁଳ ଠାକୁର ମଧ୍ୟ ତାଙ୍କ ରଣନୀତିର ଅଂଶବିଶେଷ ବୋଲି କହିଛନ୍ତି କୋହଲି । କିନ୍ତୁ ମ୍ୟାଚ ସ୍ଥିତିକୁ ଦେଖି ଚୂଡାନ୍ତ ଏକାଦଶ ସ୍ଥିର କରାଯିବ ବୋଲି କହିଛନ୍ତି କୋହଲି । ଆଉ ଏଭଳି କହିବା ପରେ ଚୂଡାନ୍ତ ଏକାଦଶରେ ବିରାଟ କାହାକୁ ସ୍ଥାନ ଦେବେ ତାହାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି ।