କନକ ବ୍ୟୁରୋ : ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ବଡ ଭବିଷ୍ୟବାଣୀ । ଟି-୨୦ ବିଶ୍ୱକପ ପରେ ଟି-୨୦ ଫର୍ମାଟରୁ ବିରାଟ ଅବସର ନେବା ନେଇ ବିଚାର କରିପାରନ୍ତି ବୋଲି କହିଛନ୍ତି ସୋଏବ ଅଖତର । ଏକ ସାକ୍ଷାତକାରେ ସୋଏବ ଅଖତର କହିଛନ୍ତି, ଅନ୍ୟ ଫର୍ମାଟରେ ଭଲ ପ୍ରଦର୍ଶନ ପାଇଁ କୋହଲି ଟି-୨୦ ଫର୍ମାଟରୁ ଅବସର ନେଇପାରନ୍ତି । ଏପରିକି ଯଦି ମୁଁ କୋହଲିଙ୍କ ସ୍ଥାନରେ ଥାଆନ୍ତି ତେବେ ଏମିତି କିଛି କରିଥାନ୍ତି । ଆଉ ସୋଏବ ଅଖତରଙ୍କ ଏଭଳି ବୟାନ ପରେ ଏବେ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କୋହଲିଙ୍କୁ ନେଇ ବଡ ବୟାନ ଦେଇଥିଲେ । ସୋଏବଙ୍କ ଭଳି ଆଫ୍ରିଦି ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ, କୋହଲି ଭଲ ପ୍ରଦର୍ଶନ କରୁଥିବା ବେଳେ ହିଁ କ୍ରିକେଟରୁ ଅବସର ନେବା ଉଚିତ୍, ଟିମରୁ ବାଦ ପଡିବା ପରେ ନୁହେଁ । ଆଉ ଏଭଳି ନିଷ୍ପତ୍ତି ଖୁବ୍ କମ ଲୋକ ନେଇପାରିଥାନ୍ତି । ଖାସକରି ଏସିଆ ମହାଦେଶର କ୍ରିକେଟରଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ପ୍ରତି ଖେଳାଳୀଙ୍କ ଜୀବନରେ ଏମିତି ସମୟ ଆସିଥାଏ ଯେତେବେଳେ ସେମାନେ ଅବସର ବାବଦରେ ଚିନ୍ତା କରିବା ଉଚିତ୍ । କୋହଲି କ୍ୟାରିୟରର ଶୀର୍ଷରେ ଥିବା ବେଳେ ହିଁ ନିଜ ଷ୍ଟାଇଲରେ ଅବସର ନିଅନ୍ତୁ । କୋହଲି ଏମିତିରେ ଶ୍ରେଷ୍ଠ ଖେଳାଳୀ ହୋଇନାହାନ୍ତି । ଏଥିପାଇଁ କୋହଲିଙ୍କୁ ଅନେକ ସଂଘର୍ଷ ଓ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ତେଣୁ କୋହଲି କ୍ରିକେଟ କ୍ୟାରିୟରର ଶେଷ ସେମିତି କରନ୍ତୁ ଯେମିତି ଆରମ୍ଭ କରିଥିଲେ ।

ତେବେ ସାହିଦ ଆଫ୍ରିଦିଙ୍କ ଏଭଳି ବୟାନକୁ ଟ୍ୱିଟରରେ ଟ୍ରୋଲ କରିଥିଲେ ଭାରତୀୟ ସ୍ପିନର ଅମିତ ମିଶ୍ରା । ବିରାଟଙ୍କ ସାଥୀ ଖେଳାଳୀ ଭାବେ ଜଣାଶୁଣା ଅମିତ କହିଥିଲେ, ପ୍ରିୟ ଆଫ୍ରିଦି କିଛି ଖେଳାଳୀ କେବଳ ଥରେ ଅବସର ନେଇଥାନ୍ତି ତେଣୁ ବିରାଟ କୋହଲିଙ୍କୁ ଏସବୁ କ୍ଷେତ୍ରରୁ ଦୂରେଇ ରଖନ୍ତୁ । ଆଉ ଅମିତ ମିଶ୍ରା ଏଭଳି କହିବା ପଛର ବଡ କାରଣ ହେଲା, ଅବସର ପାଇଁ ଜ୍ଞାନ ବାଣ୍ଟୁଥିବା ଆଫ୍ରିଦି ନିଜ କ୍ରିକେଟ କ୍ୟାରିୟରରେ ଅନେକ ଥର ଅବସର ନେଇ ପୁଣିଥରେ କ୍ରିକେଟ ମୈଦାନକୁ ଫେରିଛନ୍ତି ।

ଏସବୁ ଭିତରେ ଏସିଆ କପରେ ଦମଦାର ପ୍ରଦର୍ଶନ ସହ ପୁରୁଣା ଫର୍ମକୁ ଫେରିଛନ୍ତି କୋହଲି । ୫ ମ୍ୟାଚରୁ ୨୭୬ ରନ୍ କରିଥିଲେ କୋହଲି । ଯେଉଁଥିରେ ୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଥିଲା । ଆଉ ଏହା ବିରାଟଙ୍କର ଟି-୨୦ କ୍ରିକେଟରେ ପ୍ରଥମ ଶତକ । ଶେଷଥର ପାଇଁ ନଭେମ୍ବର ୨୦୧୯ରେ ଶତକ ହାସଲ କରିଥିଲେ କୋହଲି । ଆଉ ଏହାର ୨ ବର୍ଷ ପରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଶତକ । ଏହାଛଡା ଆଗାମୀ ଟି-୨୦ ବିଶ୍ୱକପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି । କୋହଲି ଏକମାତ୍ର ଖେଳାଳୀ ଯିଏ କ୍ରିକେଟର ୩ଟି ଫର୍ମାଟରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । କୋହଲି ଏଯାବତ୍ ୧୦୨ ଟେଷ୍ଟ, ୧୦୪ ଟି-୨୦ ଓ ୨୬୨ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏପରିକି ୭୧ ଶତକ ହାସଲ ସହ ବିଶ୍ୱର ଟପ-୩ ଶତକ ହାସଲକାରୀଙ୍କ ତାଲିକାରେ ରହିଛନ୍ତି କୋହଲି । ଭାରତର ସଚିନ ତେନ୍ଦୁଲକର ସର୍ବାଧିକ ୧୦୦ଟି ଶତକ ହାସଲ କରିଥିବା ବେଳେ କୋହଲି ୭୧ ଶତକ ସହ ଅଷ୍ଟ୍ରେଲିଆର ରିକିଂ ପଣ୍ଟିଂଙ୍କ ସହ ସମକକ୍ଷ ହୋଇଛନ୍ତି ।