କନକ ବ୍ୟୁରୋ: କୋହଲିଙ୍କ ବିନା ଇଂଲଣ୍ଡ ବିପକ୍ଷ ସମସ୍ତ ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । କାହିଁକି ନା, ବ୍ୟକ୍ତିଗତ କାରଣ ହେତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ନିଜକୁ ଦୂରେଇ ରଖିଥିବା ବିରାଟ କୋହଲି, ଶେଷ ୩ଟି ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହେଇନପାରନ୍ତି ବୋଲି ସୂଚନା ମିଳିଛି ।

ହାଇଦ୍ରାବାଦ ଏବଂ ବିଶାଖାପାଟଣା ଟେଷ୍ଟ ପରେ ଟିମ୍ ଇଣ୍ଡିଆ ଏବେ ଶେଷ ୩ଟି ଟେଷ୍ଟ ମ୍ୟାଚ୍ ରାଜକୋଟ, ରାଞ୍ଚି ଏବଂ ଧର୍ମଶାଳାରେ ଖେଳିବାକୁ ଯାଉଛି । ହେଲେ ମିଳିଥିବା ସୂଚନା ମୁତାବକ, ରାଜକୋଟ୍, ରାଞ୍ଚି ଏବଂ ଧର୍ମଶାଳାରେ ଖେଳାଯିବାକୁ ଥିବା ଶେଷ ୩ଟି ଟେଷ୍ଟରେ ମଧ୍ୟ ବିରାଟ କୋହଲି ଖେଳିବା ସମ୍ଭାବନା କ୍ଷୀଣ । ବ୍ୟକ୍ତିଗତ କାରଣ ହେତୁ ସେ ନିଜ ପରିବାର ସହ ସମୟ କାଟିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହାକୁ ବିସିସିଆଇ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛି ।

ଅନ୍ୟପଟେ ବିରାଟ କୋହଲି ଶେଷ ୩ଟି ଟେଷ୍ଟ ମ୍ୟାଚ୍ ନଖେଳିଲେ ମଧ୍ୟ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନା ଦେଖାଯାଉନି । କୋହଲିଙ୍କ ବଦଳ ଖେଳାଳି ଭାବେ ଦଳରେ ରଜତ ପଟିଦାର ରହିଥିବାବେଳେ, ମିଡିଲ ଅର୍ଡରରେ ମଧ୍ୟ ଶ୍ରେୟାସ ଆୟର ଭଲ ଖେଳୁଛନ୍ତି । ଅନ୍ୟପଟେ ସର୍ଫରାଜ ଖାନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେଣୁ ଶେଷ ୩ଟି ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍କ୍ୱାର୍ଡରେ କୌଣସି ପରିବର୍ତ୍ତନ ହେଇନପାରେ ।