ବିରାଟ କୋହଲି କରିବେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ । ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି ଏହି ୨ ଖେଳାଳୀ ।

1,480

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତର ପରାଜୟ ପରେ କଡା ସମାଲୋଚନାର ଶିକାର ହୋଇଛି ଟିମ୍ ଇଣ୍ଡିଆ । ଏପରିକି ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ମଧ୍ୟ ସମାଲୋଚନା ହେଉଛି । ଏହାରି ଭିତରେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆରେ କିଛି ପରିବର୍ତ୍ତନ କରିପାରନ୍ତି ଅଧିନାୟକ କୋହଲି ।

ଆସନ୍ତା ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏହା ପୂର୍ବରୁ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ । କୁହାଯାଉଛି, ଦୁଇ ଜଣ ଖେଳାଳୀ ଚୂଡାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି । ଆଉ ଏହି ଦୁଇ ଖେଳାଳୀ ହେଉଛନ୍ତି, ଚେତେଶ୍ୱର ପୂଜାରା ଏବଂ ଶୁଭମାନ୍ ଗିଲ୍ ।

ଚେତେଶ୍ୱର ପୂଜାରା : ଚେତେଶ୍ୱର ପୂଜାରା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ପ୍ରଥମ ଇନିଂସରେ ୮ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୩ ରନ୍ କରିଥିଲେ । ପୂଜାରାଙ୍କ ଏପରି ପ୍ରଦର୍ଶନ ଅନେକଙ୍କୁ ନିରାଶ କରିଛି । ସବୁ ଫର୍ମାଟରେ ଭାରତର ଓପନିଂ ଯୋଡି ମଜଭୁତ ଥିବାବେଳେ କେବଳ ଟେଷ୍ଟ ଫର୍ମାଟରେ ଦୁର୍ବଳ ରହିଛି । ଏପରିକି ବ୍ୟାଟିଂ ଅର୍ଡରରେ ୩ ନମ୍ବରରେ ପୂଜାରା ଖେଳିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଶୁଭମାନ ଗିଲ୍ : ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଶୁଭମାନ ଗିଲ୍ । ଶୁଭମାନ ଗିଲ୍ ପ୍ରଥମ ଇନିଂସରେ ୨୮ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୮ ରନ୍ କରିଥିଲେ । ରୋହିତ ଶର୍ମାଙ୍କ ସହ ଓପନିଂ ଇନିଂସ ଭାର ସମ୍ଭାଳୁଥିବା ବେଳେ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଛନ୍ତି ଗିଲ୍ ।