ଚୂଡାନ୍ତ ହେଲା ବିଶ୍ୱକପ୍ ସେମି ଫାଇନାଲ ଲାଇନ ଅପ୍। ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ଭେଟିବ ଦୁଇଥରର ଚାମ୍ପିଅନ୍ ଭାରତ

ପଏଣ୍ଟ ତାଲିକାରେ ଶୀର୍ଷରେ ଟିମ୍ ଇଣ୍ଡିଆ

677

କନକ ବ୍ୟୁରୋ: ଚୂଡାନ୍ତ ହେଲା ବିଶ୍ୱକପ୍ ସେମିଫାଇନାଲ ଲାଇନ୍ ଅପ୍ । ବିଶ୍ୱକପ ପ୍ରଥମ ସେମି ଫାଇନାଲରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ସେମି ଫାଇନାଲରେ ଅଷ୍ଟେଲିଆକୁ ଭେଟିବ ଇଂଲଣ୍ଡ । ଗତକାଲି ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିବା ବେଳେ , କଙ୍ଗାରୁ ଦଳକୁ ମାତ୍ ଦେଇଥିଲା ଦକ୍ଷିଣ ଆଫ୍ରିକା । ଫଳରେ ଶେଷ ଲିଗ୍ ମ୍ୟାଚରେ ବିଜୟ ସହ ୧୫ ପଏଂଟ ହାସଲ କରି ପଂଏଟ୍ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା ଭାରତ ।

ବିଶ୍ୱକପ୍ ସେମି ଫାଇନାଲରେ ଭାରତ ଏବେ ନ୍ୟୁଜିଲାଣ୍ଡକୁ ଭେଟିବ । ପ୍ରଥମ ସେମିରେ ଭେଟିବ । ଜୁଲାଇ ୯ ତାରିଖ ମଙ୍ଗଳବାର ଇଂଲଣ୍ଡର ମାଂଚେଷ୍ଟରର ଓଲ୍ଡ ଟ୍ରାଫୋଡରେ ହେବ ଏହି ମ୍ୟାଚ୍ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ପଏଂଟ୍ ଟେବୁଲର ତୃତୀୟରେ ଥିବା ଇଂଲଣ୍ଡକୁ ଭେଟିବ । ଜୁଲାଇ ୧୧ ତାରିଖ ଅର୍ଥାତ୍ ଗୁରୁବାର, ଏଜବାଷ୍ଟନରେ ଖେଳାଯିବ ବିଶ୍ୱକପର ଏହି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ । ପୂର୍ବରୁ ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇସାରିଥିବା ବେଳେ ଭାରତ, ଦୁଇଥର ବିଶ୍ୱକପ୍ ବିଜୟୀ ହୋଇଛି ।

ନଜର ପକାନ୍ତୁ ବିଶ୍ୱକପ୍ ପଏଂଟ ଟେବୁଲ୍ ଉପରେ..

• ଚଳିତ ବିଶ୍ୱକପରେ ମୋଟ୍ ୯ଟି ମ୍ୟାଚରୁ ୭ ବିଜୟ, ଗୋଟିଏ ପରାଜୟ ଏବଂ ଗୋଟିଏ ବର୍ଷା ବାଧାପ୍ରାପ୍ତ ମ୍ୟାଚରୁ ୧ ପଂଏଟ୍ ସହ ୧୫ ପଏଂଟ ପାଇ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ ।

• ଅଷ୍ଟେଲିଆ ମୋଟ ୯ଟି ମ୍ୟାଚରୁ ୭ ବିଜୟ ଏବଂ ୨ ପରାଜୟ ସହ ୧୪ ପଏଂଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।

• ସେହିପରି ପଏଂଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ବିଶ୍ୱକପ୍ ଆୟୋକଜ ଇଂଲଣ୍ଡ । ୯ ଟି ମ୍ୟାଚରୁ ୬ଟି ବିଜୟ ଏବଂ ୩ଟି ପରାଜୟ ସହ ୧୨ ପଏଂଟ ପାଇ ତୃତୀୟ ସ୍ଥାନରେ ରହିଛି ଆୟୋଜକ ଇଂଲଣ୍ଡ ।

• ପଏଂଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । କିୱି ଟିମ୍ ମୋଟ୍ ୯ ମ୍ୟାଚରୁ ୫ ବିଜୟ, ୩ ପରାଜୟ ଏବଂ ଗୋଟିଏ ବର୍ଷା ବାଧାପ୍ରାପ୍ତ ମ୍ୟାଚରୁ ୧ ପଏଂଟ ସହ ମୋଟ ୧୧ ପଏଂଟ୍ ପାଇ ଚତୁର୍ଥ ସ୍ଥାନରେ ରହି ସେମି ଫାଇନାଲ ଖେଳିବାକୁ ଯାଉଛି ।

ଏବେ ପଏଂଟ ଟେବୁଲର ପ୍ରଥମ ଦଳ ଚତୁର୍ଥ ସ୍ଥାନରେ ଥିବା ଟିମ୍ ସହିତ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଦଳ ତୃତୀୟ ସ୍ଥାନରେ ଥିବା ଟିମ୍ ସହିତ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ ।