ଗାଙ୍ଗୁଲିଙ୍କ ଉପରେ ବିରକ୍ତ ହେଲେ ଆରସିବି ପ୍ରଶଂସକ । କହିଲେ ଟିକେ ବଡପଣ ଦେଖାନ୍ତୁ ଦାଦା… ।

779

କନକ ବ୍ୟୁରୋ : ଆଇପିଏଲର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଗୁଜୁରାଟ, ଚେନ୍ନାଇ, ମୁମ୍ବାଇ ଓ ଲକ୍ଷ୍ନୌ ପ୍ଲେ ଅଫ ଟିକେଟ ହାତେଇଛନ୍ତି । ଶେଷ ଦିନର ଶେଷ ମ୍ୟାଚରେ ବାଙ୍ଗାଲୋର ପରାଜିତ ହେବା ମୁମ୍ବାଇକୁ ପ୍ଲେ-ଅଫ୍ ଟିକେଟ ଦେଇଛି । ଗୁଜୁରାଟ-ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଉଭୟ ବିରାଟ କୋହଲି ଓ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ଦେଖିଥିଲେ କ୍ରିକେଟପ୍ରେମୀ । ଉଭୟ ନିଜ ଦଳ ପାଇଁ ଶତକ ହାସଲ କରିଥିଲେ । ଯେଉଁଥିପାଇଁ ଉଭୟ କ୍ରିକେଟରଙ୍କୁ କ୍ରୀଡା ଜଗତରୁ ପ୍ରଶଂସାର ସୁଅ ଛୁଟିଛି । ତେବେ ବାଙ୍ଗାଲୋର ଗୁଜୁରାଟ ବିପକ୍ଷରେ ପରାଜିତ ହୋଇ ପ୍ଲେ ଅଫରୁ ବାଦ ପଡିବା ଆରସିବି ପ୍ରଶଂସକଙ୍କୁ ନିରାଶ କରିଛି । ଏହି ସମୟରେ ପୂର୍ବତନ ଭାରତୀୟ ଦଳର ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ସୌରଭ ଗାଙ୍ଗୁଲିଙ୍କ ଉପରେ ବିରକ୍ତ ହୋଇଛନ୍ତି ଆରସିବି ଫ୍ୟାନ୍ସ ।

ବାଙ୍ଗାଲୋର ବିପକ୍ଷରେ ଶୁଭମାନ ଶତକ ହାସଲ କରିଥିବା ବେଳେ ଏହାକୁ ପ୍ରଶଂସା କରିଛନ୍ତି ଗାଙ୍ଗୁଲି । ଟ୍ୱିଟ୍ କରି ଗାଙ୍ଗୁଲି ଲେଖିଛନ୍ତି, ଆମ ଦେଶ ଜବରଦସ୍ତ ପ୍ରତିଭା ପାଇଛି । ଲଗାତାର ୨ଟି ଶତକ । ବାଃ ଶୁଭମାନ ବାଃ । ତେବେ ଗାଙ୍ଗୁଲିଙ୍କ ଏହି ଟ୍ୱିଟକୁ ନେଇ ବିରକ୍ତିଭାବ ପ୍ରକାଶ କରିଛନ୍ତି ଆରସିବି ପ୍ରଶଂସକ । କେବଳ ଶୁଭମାନଙ୍କ ପ୍ରଶଂସା, ବିରାଟଙ୍କ ପ୍ରଶଂସା କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଆରସିବି ଫ୍ୟାନ୍ । କିଛି ପ୍ରଶଂସକ କହିଛନ୍ତି, ଟିକେ ବଡପଣ ଦେଖାନ୍ତୁ । ଆପଣ ଭାରତୀୟ କ୍ରିକେଟ ଜଗତର ଦାଦା । କୋହଲିଙ୍କର ବି ପ୍ରଶଂସା କରିବା କଥା । ଚଳିତ ସିଜିନରେ କୋହଲି ୧୪ଟି ମ୍ୟାଚରୁ ୬୩୯ ରନ୍ କରିଥିଲେ । ଏପରିକି ଆଇପିଏଲ ଇତିହାସରେ ସର୍ବାଧିକ ୭ଟି ଶତକ ହାସଲ କରିଛନ୍ତି କୋହଲି ।