କନକ ବ୍ୟୁରୋ: କ୍ରିକେଟର ରୋହିତ ଶର୍ମାଙ୍କ ସହ ମତଭେଦକୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଖଣ୍ଡନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ୱେଂଟି-୨୦ ଶୃଙ୍ଖଳା ଲାଗି ଆମେରିକା ଯିବା ପୂର୍ବରୁ ଏ ବିଷୟରେ ପ୍ରଥମ ଥର ଲାଗି ମୁହଁ ଖୋଲି ରୋହିତ ଓ ତାଙ୍କ ଭିତରେ କୌଣସି ବିବାଦ ସୃଷ୍ଟି ହୋଇନଥିବା ସ୍ପଷ୍ଟ କରିଛନ୍ତି ।

Advertisment

ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ବାହାରେ ଥିଲା ବେଳେ ମୁଁ ମଧ୍ୟ ଏକଥା ଶୁଣିଛି । କିନ୍ତୁ ଏହା ବିଚିତ୍ର ଓ ଅସମ୍ମାନଜନକ । ଏଥିରେ କୌଣସି ସତ୍ୟତା ନାହିଁ । ଆମେ ପାଖାପାଖି ୧୦ ବର୍ଷ ହେଲା ଖେଳୁଛୁ । ବିଶ୍ୱକପରେ ଶୀର୍ଷରେ ପହଞ୍ଚିବା ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖେଳାଳିମାନେ ପରସ୍ପରକୁ ବୁଝିବା । ନହେଲେ କିଛି ହୋଇ ପାରିବ ନାହିଁ। ଦଳରେ ଫାଟ ସୃଷ୍ଟି ହୋଇଥିବା ଖବର ହାସ୍ୟାସ୍ପଦ। କାହା ସହ ଯଦି ମୋର ଖରାପ ସଂପର୍କ ଥାଏ, ତାହାଲେ ଏହା ମୋ ଚେହେରାରୁ ସ୍ପଷ୍ଟ ବାରି ହୋଇଯାଏ। ଏମିତି ସବୁ ଖବର କୋଉଠୁ ଆସୁଛି, ମୁଁ ଜାଣି ପାରୁନି। ଏଥିରୁ କାହାକୁ କ’ଣ ଫାଇଦା ମିଳୁଛି କେଜାଣି? ଆପଣ ଆମ ଡ୍ରେସିଂ ରୁମ୍କୁ ନିଜେ ଆସି ଦେଖି ପାରିବେ ଖେଳାଳିମାନେ କେମିତି ରହୁଛନ୍ତି। କୁଲଦୀପ ଯାଦବ ଓ ଏମଏସ୍ ଧୋନିଙ୍କୁ ଅନ୍ୟମାନେ କେମିତି ବ୍ୟବହାର ଦେଖାଉଛନ୍ତି।

ସେହିଭଳି କୋହଲି-ରୋହିତ ବିବାଦ ଖବରକୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଆମେ ଯେତେବେଳେ କ୍ରିକେଟ୍ ଆରମ୍ଭ କରିଥିଲୁ ୭ ନମ୍ବରରେ ଥିଲୁ। ତା’ ପରେ ୧ ଏବଂ ୨ରେ ପହଞ୍ଚିଥିଲୁ। ଆମ ଭିତରେ ମତପାର୍ଥକ୍ୟ ଥିଲେ ଏହା ହୋଇ ପାରି ନଥାଆନ୍ତା। ଏସବୁ ଗଣମାଧ୍ୟମର ମନଗଢ଼ା କାହାଣୀ। ସୂଚନାଯୋଗ୍ୟ ଯେ, ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡ଼ାରେ ଖେଳିବ। ଏହା ପରେ ଶେଷ ଟ୍ବେଣ୍ଟି-୨୦ ସହ ତିନି ଟିକିଆ ଏକଦିବସୀୟ ଏବଂ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଫ୍ଲୋରିଡ଼ାରୁ ୱେଷ୍ଟଇଣ୍ଡିଜ୍ ଯିବ। ଗତକାଲି ଏଥିଲାଗି ଭାରତୀୟ ଖେଳାଳି ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି।